ଅସହ୍ୟ ଗୁଳିଗୁଳି... ସକାଳ ସାଢେ 5 ସୁଦ୍ଧା ରାଜଧାନୀ ତାପମାତ୍ରା 30 ପାର୍

ଭୁବନେଶ୍ୱର: ତତଲା କଡ଼େଇରେ ସିଜୁଝି ସାରା ଓଡ଼ିଶା । ଅସହ୍ୟ ଗୁଳୁଗୁଳି ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ଏହି ତାତିର ଏବେ ବି ମିଳିବନି ନିସ୍ତାର । ଆହୁରି 3-4 ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ଗ୍ରୀଷ୍ମ ପ୍ରବାହ ।
ଶନିବାର ସକାଳ 5.30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ପାରଦ 30.2 ଡ଼ିଗ୍ରୀ ପାର୍ ହୋଇଛି । ଏହା ବାଦ୍ ରାଜ୍ୟରେ ଆଗାମୀ 5 ଦିନ ଯାଏଁ ତାପ କମିବା ନେଇ କୌଣସି ସମ୍ଭାବନା ନଥିବାବେଳେ 3-4 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ । କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ 3-5 ଡ଼ିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି ।
ଏପରିକି ଚଳିତ ବର୍ଷ ସମ୍ୱଲପୁର ଓ ଝାରସୁଗୁଡ଼ାର ତାପମାତ୍ରା ରେକର୍ଡ ଭାଙ୍ଗିଛି । ଏହି ଦୁଇ ସହରର ତାପମାତ୍ରା 45 ଡିଗ୍ରୀ ପାର୍ କରିଛି । ଗତକାଲି ଝାରସୁଗୁଡ଼ାରେ 45.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳଏ ସମ୍ବଲପୁରରେ ପାରା ରହିଥିଲା 45.2 ଡିଗ୍ରୀ । ସେହିପରି 22 ସହରର ତାପମାତ୍ରା 40 ଡିଗ୍ରୀ ବା ତା ଠାରୁ ଅଧିକ ରହିଛି । 6 ସହରର ତାପମାତ୍ରୀ 44 ଡିଗ୍ରୀ ପରେ ରହିଛି । ବିଶ୍ୱ ଉତ୍ତପ୍ତ ସହର ତାଲିକାରେ ଭାରତର ଏହି ଦୁଇଟି ସହର ସ୍ଥାନ ପାଇଛି । ଗତକାଲି ଝାରସୁଗୁଡ଼ା ବିଶ୍ୱର ସପ୍ତମ ଉତ୍ତପ୍ତ ସହର ହୋଇଥିଲାବଳେ ସମ୍ବଲପୁର ବିଶ୍ୱର 15 ତମ ଉତ୍ତପ୍ତ ସହର ପାଲଟିଥିଲା ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୋନପୁର , ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ମୟୁରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଗଜପତି, ଗଂଜାମ , କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲି ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର , ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଅପରପକ୍ଷରେ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଜପତି, ଗଂଜାମ ,ମୟୁରଭଂଜ,କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡା ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।












Click it and Unblock the Notifications