ରାତି ନ ପାହୁଣୁ ବଢୁଛି ତାତି, ସକାଳ 5.30 ସୁଦ୍ଧା 29.8 ଡିଗ୍ରୀ ପରେ ପାରଦ
ଭୁବନେଶ୍ୱର : ସାଳୁ ସକାଳୁ ସିଝୁଛି ଓଡ଼ିଶା । ରାତି ନ ପାହୁଣୁ 30 ଡିଗ୍ରୀ ଛୁଉଁଛି ତାପମାତ୍ରା । ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ରାଜଧାନୀବାସୀଙ୍କ ଏହି କଷ୍ଟକୁ ଆହୁରି ବଢାଇ ଦେଉଛି । ଭୋର 5 ଟା ସୁଦ୍ଧା ପାରଦ 29.8 ଡିଗ୍ରୀ ପାର୍ କରିଛି । ଏପରିକି ଆର୍ଦ୍ରତା ରହିଛି 72 ପ୍ରତିଶତ ।

ଅପରପକ୍ଷରେ ଆହୁରି 4 ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଏପରିକି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିବା ନେଇ ଆକଳନ କରାଯାଇଛି ।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ସିଭିୟର ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ଆସନ୍ତା 20 ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଏବଂ ଶୁଷ୍କ ପବନ ପ୍ରବାହିତ ହେବା ସହ କାଳବୈଶାଖୀର ପ୍ରଭାବ କମିଛି । ଫଳରେ ସାରା ରାଜ୍ୟରେ ଅସ୍ୱାଭାବିକ ପାଗ ଦେଖାଦେଇଛି ।












Click it and Unblock the Notifications