କେନ୍ଦୁପତ୍ର ଉପରେ GST : ଚିଠି ଲେଖିଥିଲେ ନବୀନ, ମନା କରିଦେଲା କେନ୍ଦ୍ର
ଭୁବନେଶ୍ୱର : କେନ୍ଦୁପତ୍ର ଉପରୁ GST ହଟାଇବାକୁ ମନା କରିଦେଲା କେନ୍ଦ୍ର । ମୌସୁମୀ ଅଧିବେଶନରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ।

ଗତ ଫେବ୍ରୁଆରୀରେ ଅନୁଷ୍ଠିତ GST ପରିଷଦ ବୈଠକରେ ନିଷ୍ପତ୍ତି, କେନ୍ଦୁପତ୍ରରୁ 18% ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟିର ରିପୋର୍ଟ ଆଧାରରେ ଜିଏସଟି ନ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ବାରମ୍ବାର ଦାବି କରିଆସୁଛି ଓଡ଼ିଶା । ଏହା ଦ୍ୱାରା ରାଜ୍ୟର 10 ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ହାସ ହୋଇଥାନ୍ତା । କିନ୍ତୁ କେନ୍ଦୁପତ୍ର ଉପରେ 18% GST ହଟାଇହାକୁ ମନା କରିଦେଇଛି ।
କେନ୍ଦୁପତ୍ର ତୋଳାଳିଙ୍କ ଜୀବିକାକୁ ଦୃଷ୍ଟିରେ ରଖି କେନ୍ଦୁ ପତ୍ରରେ 18% ଜିଏସଟି ହଟାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଦାବି କରିବା ସହ କେନ୍ଦ୍ରକୁ ଚିଠି ଲେଖିସାରିଛନ୍ତି ।
"କେନ୍ଦୁ ପତ୍ର ଉପରେ ଜିଏସଟି (18%) ଲାଗୁ ହେବା କେନ୍ଦୁପତ୍ର ବାଣିଜ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏହା ପରବର୍ତ୍ତୀ ସମୟରେ କେନ୍ଦପତ୍ର ତୋଳାଳି, ବନ୍ଧାଳି ଏବଂ ଋତୁକାଳୀନ ଶ୍ରମିକଙ୍କ ଜୀବିକା ତଥା ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ଉପରେ ପ୍ରଭାବ ପକାଇଥାଏ ବୋଲି ଜିଏସଟି ପରିଷଦର ଅଧ୍ୟକ୍ଷ ଥିବା ନବୀନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିଲେ ।
ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିବାସୀ ଆଇନ 2006 ଆଧାରରେ ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି । କେନ୍ଦୁପତ୍ର ଉପରୁ 18 ପ୍ରତିଶତ ଜିଏସଟି ଆଦାୟ ହେଉଛି । ଏହା ସିଧାସଳଖ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳିଙ୍କ ସାମାଜିକ ସୁରକ୍ଷାକୁ ପ୍ରଭାବିତ କରୁଛି । ତେଣୁ କେନ୍ଦୁପତ୍ର ତୋଳାଳିଙ୍କ ସମୂହ ସ୍ୱାର୍ଥ ପାଇଁ କେନ୍ଦୁପତ୍ର ଉପରୁ ସଂପୂର୍ଣ୍ଣ ଜିଏସଟି ଛାଡ କରିବାକୁ ଦାବି ଦୋହରାଇଥିଲେ ନବୀନ ।
ଏହାପୂର୍ବରୁ 27 ଜୁନ୍ 2023 ଏବଂ ନଭେମ୍ବର 25 ତାରିଖରେ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ସଂସଦରେ ମଧ୍ୟ କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପାଇଁ ବିଜେଡି ସାଂସଦ ଦାବି ଉଠାଇଥିଲେ । ରାଜ୍ୟର ପ୍ରାୟ 10 ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ଲଘୁ ବନଜାତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଦାବି କରିଆସୁଛି ବିଜେଡି ।












Click it and Unblock the Notifications