ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ନୂଆଦିଲ୍ଲୀର ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ମା' ଗୀତା ମେହେଟ୍ଟାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଭଉଣୀଙ୍କ ଶେଷ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଲୋଧି ରୋଡ଼ସ୍ଥିତ ଶ୍ମଶାନରେ ଉପସ୍ଥିତ ଥିଲେ । ଏହି ଅବସରରେ ନିକଟ ସମ୍ପର୍କୀୟଙ୍କ ସମେତ ସାଂସଦ ପିନାକ ମିଶ୍ର, ମାନସ ମଙ୍ଗରାଜ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରମୁଖ ଶ୍ମଶାନ ଘାଟରେ ଉପସ୍ଥିତ ଥିଲେ ।
ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା । 2019 ମସିହାରେ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ଆମେରିକୀୟ ପ୍ରକାଶକ ସନ୍ନି ମେହେଟ୍ଟାଙ୍କ ପରଲୋକ ପରଠୁ ସେ ଭାରତରେ ରହୁଥିଲେ ।
ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ । ସାହିତ୍ୟ, ସାମ୍ବାଦିକତା, ଡକ୍ୟୁମେଣ୍ଟାରୀ ଓ ପ୍ରକୃତି ସୁରକ୍ଷା କ୍ଷେତ୍ରରେ ଗୀତା ଛାଡ଼ିଯାଇଥିବା ଛାପକୁ ସମସ୍ତେ ମନେ ପକାଉଛନ୍ତି ।
1943 ମସିହାରେ ଦିଲ୍ଲୀରେ ଜନ୍ମିତ ଗୀତା ବ୍ରିଟେନ, ୟୁରୋପ ଓ ଆମେରିକା ନେଟୱାର୍କ ପାଇଁ 14ଟି ଡକ୍ୟୁମେଂଟାରୀ ଫିଲ୍ମ ପ୍ରଯୋଜନା କରିଛନ୍ତି । ଗୀତାଙ୍କ ଲିଖିତ ବହିଗୁଡ଼ିକ ପ୍ରାୟ 21 ଟି ଭାଷାରେ ଟ୍ରାନ୍ସଲେଟ୍ ହୋଇଛି ଓ ୟୁରୋପ, ଆମେରିକା ଓ ଭାରତରେ ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ ଭାବେ ପରିଗଣିତ ହୋଇଥିଲା ।
ଉଲ୍ଲେଖ ଯୋଗ୍ୟ, 1965 ମସିହାରେ ସେ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିଲେ । 2019 ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ। ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି ।












Click it and Unblock the Notifications