ରାଜ୍ୟରେ କମୁଛି ଝିଅଙ୍କ ସଂଖ୍ୟା, ହଜାରେ ପୁଅରେ 925 ଝିଅ
ଭୁବନେଶ୍ୱର: ରାଜ୍ୟରେ ପୁଅ-ଝିଅଙ୍କ ଅନୁପାତ ଉଦବେଗଜନକ ସ୍ଥିତିରେ । ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ହଜାରେ ପୁଅରେ ଅଛନ୍ତି 925 ଝିଅ । ଯାହାକି ଏକ ଚିନ୍ତାଜନକ ସ୍ଥିତି ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ 7 ଜିଲ୍ଲାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ଢେର୍ କମ୍ ରହିଛି । ନୟାଗଡ, ଗଞ୍ଜାମ, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଝାରସୁଗୁଡାରେ ପ୍ରତି 10 ପୁଅରେ ଅଛନ୍ତି 8 ଝିଅ ।

ଅପରପକ୍ଷେ ପଛୁଆ ଜିଲ୍ଲା କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା 980 ଓ ତାଠାରୁ ଅଧିକ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କନ୍ୟା ସନ୍ତାନ ଦିବସ ଅବସରରେ ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ।
2022 ର ରେକର୍ଡ ଆଧାରରେ ପ୍ରତି ହଜାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସଂଖ୍ୟା ପ୍ରାୟ ସମାନ୍ତର ଥିବା 5ଟି ଜିଲ୍ଲାକୁ ସମ୍ମାନିତ କରାଯାଇଛି । କନ୍ଧମାଳରେ ହଜାରେ ପୁଅରେ ଝିଅଙ୍କ ଅନୁପାତ 984 ରହିଥିବା ବେଳେ ମାଲକାନଗିରିରେ ଏହା 982 ରହିଛି । ସେହିପରି ମୟୂରଭଂଜରେ 981, ନବରଙ୍ଗପୁରରେ 964 ଓ ସମ୍ବଲପୁରରେ ଏହି ଅନୁପାତ 963 ରହିଛି । ଆଗାମୀ ଦିନରେ ଏହି ସବୁ ଜିଲ୍ଲାର ସେକ୍ସ ରେସିଓ ସମାନ କରିବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳୀନି ପଣ୍ଡିତ । ପୁଅ ଏବଂ ଝିଅ ସଂଖ୍ୟାରେ ସନ୍ତୁଳନ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି । ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରଜନନ ସ୍ୱାସ୍ଥ୍ୟ, ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ, ଟୀକାକରଣ, କିଶୋରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଉପଯୁକ୍ତ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି ।












Click it and Unblock the Notifications