ଓଡ଼ିଶାର ଏହି ଜିନିଷକୁ ମିଳିଲା GI ଟ୍ୟାଗ୍, ଜାଣନ୍ତୁ କେଉଁ ଜିଲ୍ଲାରୁ ରହିଛି କଣ
ଭୁବନେଶ୍ୱର: ଓଡ଼ିଶା ଦ୍ରବ୍ୟକୁ ପୁଣି ମିଳିଲା GI ଟ୍ୟାଗ୍ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ରାଜ୍ୟର 6 ଟି ଜିନିଷକୁ ଏହି ମାନ୍ୟତା ପ୍ରଦାନ କରିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରୁ କେଉଁ କେଉଁ ଜିନିଷକୁ ମିଳିଛି ଭୌଗୋଳିକ ସାଙ୍କେତ ତଥା GI ଟ୍ୟାଗ୍ ।

ନୟାଗଡ଼ ଜିଲ୍ଲାର ଲୋକପ୍ରିୟ କଣ୍ଟେଇମୁଣ୍ଡି ବାଇଗଣକୁ GI ଟ୍ୟାଗ୍ ମିଳିଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କଣ୍ଟେଇମୁଣ୍ଡି ବାଇଗଣକୁ GI ଟ୍ୟାଗ୍ ଦିଆଯାଇଛି । ଏହି କଣ୍ଟେଇମୁଣ୍ଡି ବାଇଗଣକୁ GI ଟ୍ୟାଗ୍ ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହା ପରେ 2021 ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ଯାଗ୍ ଦେବା ପାଇଁ ଆବେଦନ କରାଯାଇଥିଲା ।
ଓଡ଼ିଶାର ଆଉ 5ଟି ଜିନିଷକୁ ମଧ୍ୟ GI ଟ୍ୟାଗ୍ ମିଳିଛି । ଖଜୁରୀ ଗୁଡ଼, ରାୟଗଡ଼ାର ଲାଞ୍ଜିଆସଉରା ପେଣ୍ଟିଂ, ମୟୂରଭଞ୍ଜ ଜିଲ୍ଲାର କାଇପିମ୍ପୁଡ଼ି ଆଚାର, ଢେଙ୍କାନାଳର ମଗଜି ଲଡୁ ଓ କୋରାପୁଟର କଳାଜିରା ଧାନକୁ ମଧ୍ୟ ଜିଆଇ ଟ୍ୟାଗ୍ ଦେଇଛି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ।
କଣ୍ଟିଲୋ ନିକଟସ୍ଥ ସିଧାମୁଳା ଗ୍ରାମର ନୀଳମାଧବ କୃଷି ସଙ୍ଗଠନ କଣ୍ଟେଇମୁଣ୍ଡି ବାଇଗଣକୁ GI ଟ୍ୟାଗ୍ ମାନ୍ୟତା ପାଇଁ ରଖିଥିଲେ । ଏଥିପାଇଁ ଓୟୁଏଟି ମଧ୍ୟ କୃଷକମାନଙ୍କୁ ବିଭିନ୍ନ ସମୟରେ ପୁରସ୍କୃତ କରିବା ସହ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରିଆସୁଥିଲା । କଣ୍ଟେଇମୁଣ୍ଡି ବାଇଗଣକୁ ବିଭାଗ 31ର ମାନ୍ୟତା ମିଳିଛି ।
ନୟାଗଡ଼ ଜିଲ୍ଲାର ଲୋକପ୍ରିୟ ଏହି କଣ୍ଟେଇମୁଣ୍ଡି ବାଇଗଣ ଗଛପତ୍ର ଓ ଫଳରେ ସବୁଆଡେ କଣ୍ଟା ଲାଗି ରହିଥାଏ । ଏହି ବାଇଗଣଟି ଅନ୍ୟାନ୍ୟ ବାଇଗଣ ଠାରୁ ଅଲଗା । ଏହି ବାଇଗଣ ଆକାରରେ ଛୋଟ ହୋଇଥାଏ । ଏହାର ସ୍ୱାଦ ମଧ୍ୟ ଭଲ ରହିଥାଏ । ପ୍ରତ୍ୟେକ ବାଇଗଣର ଓଜନ 25 ରୁ 50 ଗ୍ରାମ ମଧ୍ୟରେ ରହିଥାଏ । ଏହି ବାଇଗଣ ଗଛ ଲଗେଇବାର 30 ରୁ 35 ଦିନ ମଧ୍ୟରେ ଫଳ ଦେଇଥାଏ ।
ବିଶେଷକରି ଡିସେମ୍ବର ମାସରୁ ଏପ୍ରିଲ୍ ମାସ ମଧ୍ୟରେ ଏହି ବାଇଗଣ ଫଳିଥାଏ । ଏହି ବାଇଗଣର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ରହିଛି । ଜିଲ୍ଲାର ଖଣ୍ଡପଡା ବ୍ଲକ୍ ଅନ୍ତର୍ଗତ ବଡବାଣପୁର, ରତନପୁର ଏବଂ ଭାପୁର ବ୍ଲକର ଧାନଚାଙ୍ଗଡା, ଲକ୍ଷ୍ମୀପ୍ରସାଦ , ଏବଂ କୁମୁଣ୍ଡି ଅଞ୍ଚଳରେ ଏହି କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଇଥାଏ।
ନୟାଗଡ଼ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ। ଏହା ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବୋଲି ଜିଲ୍ଲାପାଳ କହିବା ସହ ଆବେଦନକାରୀ ଚାଷୀମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।












Click it and Unblock the Notifications