ସୁନାମ ଆଣୁଛି ଗଞ୍ଜାମ ଜିଲ୍ଲା, ଭାରତ ସରକାରଙ୍କ ପକ୍ଷରୁ ମିଳିଲା ‘ଭୂମି ସମ୍ମାନ'
ବ୍ରହ୍ମପୁର : ଉନ୍ନୟନମୂଳକ କାର୍ଯ୍ୟ ଲାଗି ବାରମ୍ବାର ସମ୍ମାନିତ ହେଉଛି ଗଞ୍ଜାମ ଜିଲ୍ଲା । ବିଗତ ଦିନରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଗଞ୍ଜାମ ଜିଲ୍ଲାକୁ ମିଳିଛି ଆଉ ଏକ ସମ୍ମାନ । ଭୂମି ସଂସ୍କାର କ୍ଷେତ୍ରରେ ଭାରତ ସରକାରଙ୍କ ପକ୍ଷରୁ ପୁଣି ପାଇଛି 'ଭୂମି ସମ୍ମାନ' ।

ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ତରଫରୁ ଗଞ୍ଜାମ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା ପାଇଁ 'ଭୂମି ସମ୍ମାନ' ପ୍ଲାଟିନାମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୂମି ସଂସ୍କାର କ୍ଷେତ୍ରରେ ଭାରତର ଶ୍ରେଷ୍ଠ 75 ଜିଲ୍ଲାକୁ ଭୂମି ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି । ଏଥିରେ ରହିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ନାମ । ଗଞ୍ଜାନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଭୂମି ସଂସ୍କାର ନିମନ୍ତେ ଜିଲ୍ଳାରେ ନିଆଯାଇଥିବା ତ୍ୱରିତ ଓ ସଫଳ କାର୍ଯ୍ୟକ୍ରମ ପାଇଁ ଯଥା- ଜମି ପଟ୍ଟାର କମ୍ପୁଟରୀକରଣ, ଜମି ରେଜିଷ୍ଟ୍ରେସନ କାର୍ଯ୍ୟକ୍ରମର ସରଳୀକରଣ ଓ ସ୍ଵଚ୍ଛତା ଅନୁପାଳନ, ଆଧୁନିକ ରେକର୍ଡ଼ ରୁମ ପରିଚାଳନା ଓ ଜମି ଜମା କାଗଜ ପତ୍ରର ସ୍କାନିଂ ଏବଂ କମ୍ପୁଟରୀକରଣ, ତହସିଲ ଓ ରେଜିଷ୍ଟ୍ରେସନ କାର୍ଯ୍ୟଳୟ ମଧ୍ୟରେ ସଂଯୋଜନା ପ୍ରଭୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର 23 ଗୋଟି ତହସିଲରେ ଆଶାନୁରୂପକ ଉନ୍ନତି ପ୍ରଦର୍ଶନ ସହ ସଫଳତା ହାସଲ କରିଥିବା ହେତୁ ଭାରତ ସରକାରଙ୍କ ତରଫରୁ ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଦ୍ୱାରା ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଦାନ କରାଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଡେପୁଟି କଲେକଟର ଦୟା ସିନ୍ଧୁ ପରିଡା, କୁକୁଡାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications