ହାତୀ ହାବୁଡରେ ପଡ଼ିଗଲେ ବନ କର୍ମଚାରୀ, ଦୁଇ ଜଣ ଗୁରୁତର
ବାରିପଦା: ହାତୀ ଘଉଡ଼ାଇବାକୁ ଯାଇ ହରଡ଼ଘଣାରେ ପଡ଼ିଗଲେ ବନ କର୍ମଚାରୀ । ଆକ୍ରମଣ କଲା ହାତୀ । ଫଳରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡ ଅଧିନରେ ଥିବା ବେତନଟୀ ରେଞ୍ଜରେ । ହାତୀ ଘଉଡାଇବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ବନ କର୍ମଚାରୀ । ଆହତଙ୍କ ମଧ୍ୟରେ ଜଣେ ଫରେଷ୍ଟର ଓ ଜଣେ ବନ କର୍ମଚାରୀ ଅଛନ୍ତି । ଗୁରୁତର ଦୁଇ ଜଣ ଫରେଷ୍ଟର ପ୍ରଦୀପ ଦେହୁରୀ ଓ ପ୍ରୋଟେକ୍ଟସନ ଆସିଷ୍ଟାଣ୍ଟ ଯତୀନ କିସ୍କୁ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ର ମେରଦା ବେଣାପୁରା ଗାଁ ଭିତରକୁ ଗତ କାଲି ରାତିରେ ଏକ ହାତୀ ପଲ ପଶି ଆସିଥିଲେ । ହାତୀ ପଲରେ 5 ଟି ହାତୀ ଥିଲେ । ସେମାନଙ୍କ ମଧ୍ୟରୁ ଏକ ଛୁଆ ହାତୀ ଧାନ ଖାଇବାକୁ ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇଥିଲା । ଛୁଆ ହାତୀକୁ ଘଉଡାଇବାକୁ ବନ କର୍ମଚାରୀ ବି ଉକ୍ତ ଘର ଭିତରେ ପଶି ଯାଇଥିଲେ ।
ମାତ୍ର ସେଠାରେ ଏକ ମାଇ ହାତୀ ଉପସ୍ଥିତ ଥିବା ସେମାନେ ଜାଣି ପାରି ନ ଥିଲେ । ହାତୀକୁ ଦେଖି ବନ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବା ବେଳେ ଫରେଷ୍ଟର ଏବଂ ଜଣେ ଠିକା କମଚାରୀ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଉଭୟଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା । ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ । ସାଥି କର୍ମଚାରୀମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ।
ଫରେଷ୍ଟରଙ୍କ ଛାତି ପଞ୍ଜରା ହାଡ ଭାଙ୍ଗି ଯାଇଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଠିକା କମଚାରୀ ଜତିନ କିସ୍କୁ ବାରିପଦାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବାରିପଦା ଡିଏଫଓ ସନ୍ତଷ କୁମାର ଯୋଶୀ ବାରିପଦା ମେଡିକାଲରେ ପହଞ୍ଚି ଗୁରୁତରଦ୍ୱୟଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ହାତୀ ଘଉଡ଼ାଇବା ଏବେ ଚ୍ୟାଲେଞ୍ଜ ପାଲଟି ଯାଇଥିବା ବେଳେ ଏଥିନିମନ୍ତେ କର୍ମଚାରୀଙ୍କୁ ଅଧିକ ଦକ୍ଷ କରାଯିବ ଓ ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।












Click it and Unblock the Notifications