ପୁଣି ସୁରକ୍ଷା ଢିଲା, ଶ୍ରୀମନ୍ଦିରରେ ପଶିଲେ ବିଦେଶୀ ପର୍ଯ୍ୟଟକ
ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମନ୍ଦିର ପରିସରକୁ ପଶିଲେ ବିଦେଶୀ ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ଏହା ପରେ ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ବାଇଶିପାହାଚ ନିକଟରେ ଜଣେ ବିଦେଶୀନିଙ୍କୁ ଚିହ୍ନଟ କରିଛନ୍ତି ସେବାୟତ ।

ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ, ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି । ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି । ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ 2023 ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ଗତ କିଛି ଦିନ ପୂର୍ବରୁ ଅଣହିନ୍ଦୁ ଶ୍ରୀମନ୍ଦିର ପରିସରରେ ପଶିଥିଲେ । ସେମାନେ ବାଂଲାଦେଶର ବୋଲି ଜଣାପଡ଼ିଥିଲା । ଉତ୍ତରଦ୍ୱାର ନିକଟ ପରିକ୍ରମା ମାର୍ଗରେ ବସିଥିବା କିଛି ଅଣହିନ୍ଦୁଙ୍କୁ ସ୍ଥାନୀୟ ଯୁବକ ଦେଖିଥିଲେ । ସେମାନଙ୍କୁ ପଚରାଉଚୁରା କରିବା ପରେ ତାଙ୍କର 5 ଜଣ ଲୋକ ମନ୍ଦିରକୁ ଯାଇଥିବା କହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ 4 ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ସେମାନଙ୍କୁ ସିଂହଦ୍ଵାର ଥାନାରେ ପୋଲିସର ଜିମା ଦେଇଥିଲେ ।
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ମନା ଥିବା ବେଳେ ଏତେ ସୁରକ୍ଷା ସତ୍ତ୍ୱେ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଥି ସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।












Click it and Unblock the Notifications