ଡେଙ୍ଗୁ ପରେ ଫାଇଲେରିଆ... କେମିତି କରିବେ ନିରାକରଣ
Dengue: ସାରା ରାଜ୍ୟରେ ଡେଙ୍ଗୁ ଆତଙ୍କ ଜାରି ରହିଛି । ଏ ବର୍ଷ ବର୍ତ୍ତମାନ ସୁଦ୍ଧା 3 ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି । ଏହକୁ ନେଇ କେବଳ ଲୋକ ନୁହଁ ପ୍ରଶାସନକୁ ମଧ୍ୟ ଚିନ୍ତା ଘାରିଛି ।
ଆସନ୍ତା ସେପ୍ଟେମ୍ବର ମାସ ଶେଷ ବେଳକୁ ଏହାର ପ୍ରକୋପ କମିପାରେ ବୋଲି ବିଶେଷଜ୍ଞ କହୁଛନ୍ତି । ହେଲେ ଡେଙ୍ଗୁର ପ୍ରକୋପ ନ କମୁଣୁ ଅନ୍ୟ ମଶାଙ୍କ ଦାଉ ଆରମ୍ଭ ହୋଇଯିବ । ବିଶେଷକରି ଫାଇଲେରିଆ ରୋଗ ସୃଷ୍ଟିକାରୀ କ୍ୟୁଲେକ୍ସ ମଶାର ପ୍ରକୋପ ଦେଖିବାକୁ ମିଳିବ । ଏଥିପାଇଁ ସବୁପ୍ରକାର କ୍ଷେତ୍ର ପ୍ରସ୍ତୁତ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ରାଜ୍ୟରେ ସମୁଦାୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା 3096 କୁ ବୃଦ୍ଧି ପାଇଥିବା ବେଳେ ଅଧିଂକାଶ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ ଅଛନ୍ତି । ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥରରେ ପ୍ରତିଶେଧକମୂଳକ ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସତ୍ତ୍ୱେ ବି ସଂକ୍ରମଣକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି । ତେବେ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବରରେ ଏହା ପ୍ରକୋପ ଧିରେ ଧିରେ କମ୍ ହେବ ବୋଲି କହିଛନ୍ତି ବିଶେଷଜ୍ଞ ।
ଚଳିତବର୍ଷ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 1409 ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରେ 324, କଟକ 278, ବାଲେଶ୍ୱର 277, ଜଗତସିଂହପୁର 173 ଓ ନୟାଗଡ଼ରୁ 116 ଜଣ ଆକ୍ରାନ୍ତ ବାହାରିଛନ୍ତି ।
ବିଶେଷଜ୍ଞଙ୍କ ମତରେ ଏବେ ଅନ୍ୟ ମଶାଙ୍କ ପ୍ରଜନନ ଆରମ୍ଭ ହୋଇଛି । ଅକ୍ଟୋବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏସବୁ ମଶାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିବ । ଏଡିସ୍ ମଶା ସ୍ୱଚ୍ଛ ପାଣିରେ ଅଣ୍ଡା ଦେଉଥିବା ବେଳେ ଅନ୍ୟ ମଶାମାନେ ଅପରିଷ୍କାର ପରିବେଶରେ ଅଣ୍ଡା ଦେଇଥାନ୍ତି । ଏଡିସ୍ ମଶାର ସାନ୍ଦ୍ରତା କମ୍ ରହିଥାଏ । ହେଲେ କ୍ୟୁଲେକ୍ସ ମଶାର ସାନ୍ଦ୍ରତା ଅଧିକ । ଗାଈ ଗୁହାଳରୁ ବହୁ ସଂଖ୍ୟାରେ ଗୋବର ଖତ ବାହାରିଥାଏ । ଏଥିରେ କ୍ୟୁଲେକ୍ସ ମଶା ବାହାରିଥାଏ । ଏହାସହ ଡ୍ରେନ୍ ଓ ଅନ୍ୟ ଅବର୍ଜନା ମଧ୍ୟ କ୍ୟୁଲେକ୍ସ ମଶାର ମଧ୍ୟ ଉତ୍ପତ୍ତି ସ୍ଥଳ । ତେଣୁ ମଶାଙ୍କ ଲାର୍ଭା ଖାଉଥିବା ଗାମ୍ବୁସିଆ ମାଛ ଡ୍ରେନ୍ରେ ଛଡ଼ାଯିବାର ଆବଶ୍ୟକତା ରହିଛି ।
ସେପଟେ ଡେଙ୍ଗୁର ପାଦୁର୍ଭାବ କମ୍ ହୋଇ ନଥିବା ବେଳେ ଫାଇଲେରିଆ ଆଶଙ୍କା ନେଇ ଚିନ୍ତା ପ୍ରକଟ କରିଛି ସ୍ୱାସ୍ଥ୍ୟ ବିଭାଗ । ତେବେ ସିଏ ଡେଙ୍ଗୁ ହେଉ କି ଫାଇଲେରିଆ, ମୁକାବିଲା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନ ସଜାଗ ରହିବା ଉଚିତ୍ । ଲୋକଙ୍କୁ ଅଧିକ ସତର୍କ ହୋଇ ଏହାର ମୁକାବିଲା କରିବା ଉଚିତ୍ ।












Click it and Unblock the Notifications