ପୁତୁରା ମାଡ଼ରେ ଦାଦା-ଭାଇଙ୍କ ମୃତ୍ୟୁ, ଜଣେ ଆହତ
ଜଳେଶ୍ୱର: ରଜ ସଂକ୍ରାନ୍ତିରେ ଅଭାବନୀୟ ଘଟଣା । ଦାଦା-ଭାଇଙ୍କୁ ଗୋଡ଼ାଇ ଗୋଡାଇ ହତ୍ୟା କଲା ପୁତୁରା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଥାନା ଅଧୀନସ୍ଥ କବାଟଘାଟି ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି ।

ପାରିବାରିକ କଳହରୁ ପୁତୁରା ଆକ୍ରମଣରେ ବଡ଼ବାପା ଓ ତାଙ୍କ ପୁଅର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସର୍ଦ୍ଦାରବନ୍ଧ ପଞ୍ଚାୟତର ବଡ଼ ଟିକାୟତପୁର ଗ୍ରାମର ହାରା ବିନ୍ଧାଣୀ ପରିବାର ସହ ରାଇବଣିଆ ପଞ୍ଚାୟତର କବାଟଘାଟି ଗ୍ରାମରେ ଥିବା ନିଜର ସାନଭାଇ ଜଗନ୍ନାଥଙ୍କ ଘରକୁ ରଜରେ ବୁଲିବାକୁ ଆସିଥିଲେ । ଗତକାଲି ରାତିରେ କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା ।ଏହା ପରେ ଜଗନ୍ନାଥଙ୍କ ପୁଅ ପ୍ରଫୁଲ୍ଲ ବଡ଼ବାପା ହାରା ବିନ୍ଧାଣୀ ଓ ତାଙ୍କ ପୁଅ କ୍ରିଷ୍ଣା ବିନ୍ଧାଣୀଙ୍କୁ ଏକ ଲୁହାରଡରେ ଆକ୍ରମଣ କରିଥିଲେ ।
ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି । ପ୍ରଫୁଲ୍ଲର ଆକ୍ରମଣରେ ହାଡୁ ସିଂହ ନାମକ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପ୍ରଫୁଲ୍ଲ ଓ ତାଙ୍କ ପରିବାରର ସମସ୍ତେ ଫେରାର ହୋଇଯାଇଛନ୍ତି ।












Click it and Unblock the Notifications