କିଣାହେବ ୭୦ ହଜାର କୃଷି ଯନ୍ତ୍ରପାତି, ସରକାର ଦେବେ ୪୫୦ କୋଟି ଟଙ୍କା
ଭୁବନେଶ୍ୱର : ରାଜ୍ୟ ସରକାର କୃଷକମାନଙ୍କୁ ଉନ୍ନତ କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ଆକର୍ଷଣୀୟ ରିହାତି ତଥା ସୁବିଧାରେ ଋଣ ଯୋଗାଇ ଦେଉଛନ୍ତି । କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବ । ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।2023-24 ବର୍ଷରେ ରାଜ୍ୟରେ 70 ହଜାରଟି କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ 450 କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି ଯାନ୍ତ୍ରିକୀକରଣ ଏକ ପ୍ରମୁଖ ବିକଳ୍ପ । ତେଣୁ କୃଷି କ୍ଷେତ୍ରରେ ଅଧିକରୁ ଅଧିକ କୃଷି ଯନ୍ତ୍ରପାତିର ବ୍ୟବହାରକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇ ଆସୁଛନ୍ତି ।
ଆଜି କୃଷି ଭବନଠାରେ ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତାମାନଙ୍କ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଅଦ୍ୟାବଧି 24693 ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ 151.201 କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନ ଙ୍କ ପାଇଁ 'ସଫଳ' (ସିମ୍ପ୍ଲିଫାଏଡ୍ ଆପ୍ଲିକେସନ୍ ଫର ଏଗ୍ରିକଲଚରାଲ୍ ଲୋନ୍ସ) ଆପ୍ ପ୍ରଚଳନ କରାଯାଇଛି । ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା 40 ରୁ 60 ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା 75 ଭାଗ ରିହାତି ପ୍ରଦାନ କରାଯାଉଛି । ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି । କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଥିଲେ ।
କୃଷି ଯାନ୍ତ୍ରିକୀକରଣ ଫଳରେ ଓଡ଼ିଶାରେ କୃଷି କ୍ଷେତ୍ରରେ 2000-01 ମସିହାରେ ବିଦ୍ୟୁତ୍ ଶକ୍ତି ବ୍ୟବହାର ହେକ୍ଟର ପିଛା 0.62 କିଲୋୱାଟ୍ରୁ ବୃଦ୍ଧଇ ପାଇ 2021-22 ବର୍ଷରେ 2.23 କିଲେ।ୱାଟ୍ରେ ପହଞ୍ଚିଛି । ଏହ। ଦ୍ୱାରା କୃଷି ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନରେ ଚାଷ କାମ ସମତାଳ ଓ ସମୟାନୁସାରେ ହୋଇପାରୁଛି । ବିଗତ ବର୍ଷ ରାଜ୍ୟର ସମସ୍ତ 30 ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ଏବଂ ଏହା ଅକେଫାବରରୁ ଡିସେମ୍ବର ମଧ୍ୟରେ ଆୟୋଜନ କରାଯିବ । ମେଳା ସମୟରେ ଚାଷୀମାନଙ୍କ ଅବଗତି ନିମନ୍ତେ ପ୍ରଦର୍ଶିତ କୃଷି ଯନ୍ତ୍ରପାତି ଓ ଉପକରଣର ଦାମ ଓ ଏଥିରେ ମିଳୁଥିବା ରିହାତି ପରିମାଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ କହିଲେ ଯେ ବିଗତ ପାଞ୍ଚବର୍ଷରେ 2019-20 ରୁ 2022-23 ପର୍ଯ୍ୟନ୍ତ ମୋଟ 170296 ଗୋଟି କୃଷି ଯନ୍ତ୍ରପାତି ଓ ଉପକରଣ ନିମନ୍ତେ 1005.831 କୋଟି ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି । ଏଥି ମଧ୍ୟରେ ଟ୍ରାକଫର, ପାୱାର ଟିଲର, କମ୍ବାଇନ୍ ହାର୍ଭେଷ୍ଟର, ଧାନକଟା ଯନ୍ତ୍ର, ରୋଟାଭେଟର, ଧାନରୁଆ ଯନ୍ତ୍ର, ବହୁବିଧ ଶସ୍ୟ ଅମଳ ଯନ୍ତ୍ର, ଶକ୍ତିଚାଳିତ ଘାସବଛା ଯନ୍ତ୍ର ଓ କ୍ଷୁଦ୍ର ଧାନକଳ ଆଦି ଅନ୍ତର୍ଭୁକ୍ତ । ବୈଠକରେ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଶତାଧିକ ଯନ୍ତ୍ରପାତି ନିର୍ମାତା ଓ ବିକ୍ରେତା ଯୋଗଦେଇଥିଲେ ।












Click it and Unblock the Notifications