ପ୍ରେମିକ ସହ ପଳାଇଲା ଝିଅ, ଶୁଦ୍ଧି ହୋଇପଡ଼ିଲେ ପରିବାର ଲୋକ
କଟକ: ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକ । ଏକାଦଶ ଓ ଦ୍ୱାଦଶ କର୍ମ କରିବା ସହ ଭୋଜିର ଆୟୋଜନ କରିଥିଲେ । ଏମିତି ଏକ ଘଟଣା ଦେଖିାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁ ରେ ।
ପ୍ରେମିକ ସହ ପଳାଇ ଯିବାରୁ ଝିଅ ପାଇଁ ଶୁଦ୍ଧି ହୋଇଯାଇଛନ୍ତି ପରିବାର ଲୋକେ । ଗାଁର ବିଶ୍ୱଜିତ ମହାପାତ୍ରଙ୍କ ଝିଅ ପାୟଲ ମହାପାତ୍ର ସେହି ଗାଁର ଆକାଶ ଚନ୍ଦ୍ର ବେହେରାଙ୍କୁ ଭଲ ପାଉଥିଲେ । ତାଙ୍କ ସହ ପାୟଲ ଘର ଛାଡି ଚାଲିଯିବାରୁ ପରିବାର ଲୋକେ ଶୁଦ୍ଧି ହୋଇ ଝିଅର ଏକାଦଶ ଓ ଦ୍ଵାଦଶ କର୍ମ କରିଛନ୍ତି ।

ପାୟଲଙ୍କ ବାପା ବିଶ୍ୱଜିତ ମହାପାତ୍ର ଲଣ୍ଡା ହୋଇ ଝିଅର ସମସ୍ତ କର୍ମ କରିଛନ୍ତି । କର୍ମରେ ବ୍ରାହ୍ମଣ ଭୋଜନ ସହ ଗ୍ରାମବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥିଲା । ସେପଟେ ପାୟଲ ଆକାଶଙ୍କୁ ବିବାହ କରିଛନ୍ତି । ନିଜ ଇଚ୍ଛାରେ ଘର ଛାଡ଼ି ଯାଇଥିବା କହିଛନ୍ତି ପାୟଲ । ତାଙ୍କୁ 18 ବର୍ଷ ହୋଇଥିବାରୁ ସେ ନିଜ ନିଷ୍ପତ୍ତି ନିଜେ ନେଇପାରିବେ ବୋଲି କହିଛନ୍ତି ।
ପାୟଲ ନିଖୋଜ ଥିବା ନେଇ ତାଙ୍କ ବାପା ବିଶ୍ୱଜିତ ମହାପାତ୍ର ପ୍ରଥମେ ଥାନାରେ ଏତଲା ଦେଇଥିଲେ । ଏହାପରେ ପାୟଲ ଏକ ଭିଡିଓ ବାର୍ତ୍ତା ଜାରି କରି କହିଥିଲେ, ସେ କେଉଁଠି ଅଛନ୍ତି ଏବଂ ସେ ସୁରକ୍ଷିତ ଅଛନ୍ତି ଏବଂ ନିଜ ଇଚ୍ଛାରେ ଘର ଛାଡି ଚାଲିଆସିଛନ୍ତି । ଏହି ଖବର ଶୁଣିବା ପରେ ପାୟଲଙ୍କ ପରିବାର ଲୋକେ ଭୀଷଣ ରାଗି ଯାଇଥିଲେ । ଏପରିକି ଝିଅର ମୃତ୍ୟୁ ହୋଇଛି ବୋଲି ଘୋଷଣା କରିଥିଲେ । ଏହାପରେ ଏକ ପାରମ୍ପରିକ ରିତିନୀତି ଅନୁଯାୟୀ 'ଶୁଦ୍ଧି' ସମାରୋହର ଆୟୋଜନ କରିଥିଲେ। ଯାହା 'ମୃତ' ବିବେଚିତ ବ୍ୟକ୍ତିଙ୍କ କ୍ରିୟାକ୍ରମରେ ହୁଏ ।
ଝିଅର ବାପା ବିଶ୍ୱଜିତ ମହାପାତ୍ର କହିଛନ୍ତି, ଝିଅଟିଏ ଯଦି ପରିବାରର ପକ୍ଷ ନନେବ ତେବେ ସେ କେବେ କାହାକୁ ସମର୍ଥନ କରିବ ନାହିଁ । ମୁଁ ଏପରି ଏକ ପଦକ୍ଷେପ ନେଇଛି କାରଣ ମୁଁ ଚାହେଁ ଯେ ଅନ୍ୟ ପରିବାରର ପୁଅ କିମ୍ବା ଝିଅମାନେ ମୋ ଝିଅ ଦ୍ୱାରା କରାଯାଇଥିବା ଭଳି ଭୁଲ କରନ୍ତୁ ନାହିଁ । ଏହା ସାଧାରଣ ଜନତାଙ୍କ ପାଇଁ ଏକ ବାର୍ତ୍ତା ।
ତେବେ ପାୟଲ ତାଙ୍କ ଭିଡିଓ ମେସେଜରେ ତାଙ୍କ ବାପାଙ୍କ କଥାକୁ ଖଣ୍ଡନ କରିଛନ୍ତି । ପରିବାର ପକ୍ଷରୁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ବେଳେ ଏହି ନିର୍ଯାତନାରୁ ରକ୍ଷା ପାଇବା ପାଇଁ ସେ ଘର ଛାଡି ପଳାଇଥିବା କହିଛନ୍ତି । ସେ ନିଜକୁ 18 ବର୍ଷରୁ ଉର୍ଦ୍ଧ୍ୱ ବୋଲି ମଧ୍ୟ ଦାବି କରିଛନ୍ତି ଏବଂ ନିଜ ନିଷ୍ପତ୍ତି ନିଜେ ନେବାକୁ ସକ୍ଷମ ବୋଲି କହିଛନ୍ତି ।












Click it and Unblock the Notifications