ଅନଲାଇନ୍ ପଞ୍ଜି ସ୍କିମ୍ ମାମଲା, ଗୋବିନ୍ଦାଙ୍କୁ ଜେରା କରିବ EOW
ଭୁବନେଶ୍ୱର: ଜେରା ହେବେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା । ଅନଲାଇନ୍ ପଞ୍ଜି ସ୍କିମ୍ ମାମଲାରେ ଠକେଇ ନେଇ ଗୋବିନ୍ଦାଙ୍କୁ ଜେରା କରିବ EOW । ଏକ ହଜାର କୋଟି ଅନ୍ଲାଇନ୍ ପଞ୍ଜି ସ୍କାମ୍ ମାମଲାରେ ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ଲୋକଙ୍କ ଠାରୁ ଲୁଟ୍ କରିବା ଘଟଣାରେ ଏହି ଜେରା କରାଯିବ ବୋଲି ସୂଚନା ମିଳିଛି ।

ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି । ତେଣୁ କ୍ରାଇମବ୍ରାଞ୍ଚ EOW ଗୋବିନ୍ଦାଙ୍କୁ ସମନ କରି ଭୁବନେଶ୍ୱର ଡାକିପାରେ ନଚେତ ମୁମ୍ବାଇ ଯାଇ ତାଙ୍କୁ ଜେରା କରିପାରେ ବୋଲି ଜଣାଯାଇଛି ।
ସୋଲାର ଟେକ୍ନୋଲଜି ଆଲିଆନ୍ସ 2021 ରେ ଲଞ୍ଚ ହୋଇଥିଲା । କିଛି ମାସ ପୂର୍ବେ ଗୋଆରେ ହୋଇଥିବା ଏହି କମ୍ପାନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା । କାର୍ଯ୍ୟକ୍ରମରେ ସାମିଲ ହୋଇ ସେ STA ରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ । ଫଳରେ ଗୋବିନ୍ଦାଙ୍କ କଥାକୁ ବିଶ୍ୱାସ କରି ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀରେ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିବା ଜଣାଯାଇଛି ।
ପରେ ତଦନ୍ତରୁ ଏହି କମ୍ପାନୀ ଆରବିଆଇ ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଜଣାପଡ଼ିଥିଲା । ଏପରିକି କ୍ରିପ୍ଟୋ କରେନ୍ସି ଜରିଆରେ କମ୍ପାନୀ ଠକେଇ କରୁଥିବା ଜଣାପଡ଼ିଲା । ଏନେଇ ଭୁବନେଶ୍ୱର EOW ରେ ବି ବହୁ ଅଭିଯୋଗ ହେବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ତେଣୁ ଏହି କମ୍ପାନୀରେ ଗୋବିନ୍ଦା ଭୂମିକା କଣ ଥିଲା, ତାହାର ଖୋଳତାଡ଼ କରିବ EOW । ଏଥିପାଇଁ ଗୋବିନ୍ଦାଙ୍କୁ ଜେରା ପାଇଁ ଖୁବ ଶୀଘ୍ର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯିବ ନଚେତ ତାଙ୍କୁ ଡକାଯାଇ ଜେରା କରାଯିବ ବୋଲି କହିଛନ୍ତି EOW ଡିଏସ୍ପି ସସ୍ମିତା ସାହୁ ।












Click it and Unblock the Notifications