ଆଜି ବି ଆରବିଆଇ ଆଗରେ ଭିଡ଼, 5 ଦିନର ସିସିଟିଭି ଫୁଟେଜ୍ ନେଲା EOW ଏବଂ ED
ଭୁବନେଶ୍ୱର: ଆଜି ବି ଆରବିଆଇ ଆଗରେ ଲୋକଙ୍କ ଭିଡ଼ । 2000 ଟଙ୍କିଆ ନୋଟ୍ ବଦଳାଇବାକୁ ଲାଗିଛି ଲମ୍ବା ଲାଇନ୍ । ଧାଡ଼ିରେ ବସ୍ତି ବାସିନ୍ଦା ଓ ଦିନ ମଜୁରିଆଙ୍କ ସଂଖ୍ୟା ଅଧିକ । ବଡ଼ ବଡ଼ିଆଙ୍କ ଟଙ୍କା ବଦଳାଇବାକୁ 300 ଟଙ୍କା ମଜୁରୀ ନେଇ ଧାଡିରେ ଛିଡ଼ା ହେଉଥିବା ନେଇ କିଛି ଲୋକ ମତ ରଖିଛନ୍ତି । ଏପରିକ ଧନୀକ ଶ୍ରେଣୀର ଲୋକଙ୍କ କଳା ଟଙ୍କାକୁ ବଦଳାଇ ଧଳା ଟଙ୍କାର କରିବାରେ କିଛି ଦଲାଲ ଏମାନଙ୍କୁ ହାତ ବାରିସି କରିଥିବା ନେଇ ସନ୍ଦେହ କରାଯାଉଛି ।

ଏ ନେଇ ଖବର ପ୍ରକାଶ ପରେ କାହାର ଏ ଟଙ୍କା, କିଏ ସେମାନଙ୍କୁ ଟଙ୍କା ଦେଇ ଲାଇନରେ ଠିଆ କରିଛି ତାର ତନାଘନା କରାଯାଉଛି । ପୂର୍ବରୁ ଇଡ଼ି ଓ ଇଓଡବ୍ଲୁ ଆରବିଆଇ ସମ୍ମୁଖରେ ପହଞ୍ଚି ତନାଘନା କରିଛନ୍ତି । ଟଙ୍କା ବଦଳ କରୁଥିବା ଲୋକଙ୍କ ତଥ୍ୟ ନେଇଛି EOW ଓ ED । କିଏ କେତେଥର ଟଙ୍କା ବଦଳ କରିଛନ୍ତି ତାର ତଥ୍ୟ ନେଇଛି ତଦନ୍ତକାରୀ ଟିମ୍ । ଆରବିଆଇ ତଥ୍ୟ ସହ ଗତ 5 ଦିନର ସିସିଟିଭି ଫୁଟେଜ୍ ଇଡି ଓ ଇଓଡବ୍ଲୁକୁ ପ୍ରଦାନ କରିଛି ।ଆରବିଆଇ ଅଧିକାରୀଙ୍କ ସହ ଆଲୋଚନା କରିଛି EOW ଏବଂ ED । ହଠାତ୍ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ଟଙ୍କା ବଦଳ ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି, ସେନେଇ ତନାଘନା ଚାଲିଛି । ଇଓଡବ୍ଲୁ ଟିମ୍ ବ୍ୟାଙ୍କର 4 ଦିନର ଦେଣ ନେଣ ତଥ୍ୟ ନେଇଛି ।
ବ୍ୟାଙ୍କର ସିସିଟିଭି ଫୁଟେଜ ସହ ଆକାଉଣ୍ଟରେ ଜମା ଓ ବଦଳ କରୁଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିଛି । ଯେଉଁ ଲୋକମାନେ ବାରମ୍ବାର ଟଙ୍କା ଜମା ଓ ବଦଳ କରୁଥିବେ, ସେମାନଙ୍କ ତାଲିକା କରାଯିବ । ଯଦି ଜମା ବା ବଦଳ ଅର୍ଥ ସନ୍ଦେହଜନକ ଥିବ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜେରା କରାଯିବ । ଆଉ ଇଓଡବ୍ଲୁର ଏଭଳି ତନାଘନା ପରେ ଏବେ ବିଭିନ୍ନ ମହଲରେ ଛାନିଆ ପଶିଛି ।












Click it and Unblock the Notifications