ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା
ଭୁବନେଶ୍ୱର: ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା । 80 ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ।
ଗୀତା ମେହେଟ୍ଟା ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ । ପୂର୍ବରୁ ଗୀତାଙ୍କ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇସାରିଛି । ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନୀ ମେହେଟ୍ଟାଙ୍କ 2019ରେ ପରଲୋକ ହୋଇଥିଲା ।

ଜଣେ ସାମ୍ବାଦିକ ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଥିଲେ । ଖ୍ୟାତିସମ୍ପନ୍ନ ଲେଖକ ସୋନି ମହେଟ୍ଟାଙ୍କ ପତ୍ନୀ ଥିଲେ ଗୀତା । 1943 ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ଆମେରିକାର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ପାଠ ପଢା ପରେ ସାମ୍ବାଦିକତା ଓ ଲେଖିକା ଭାବରେ ବୃତ୍ତିଗତ ଜୀବନକୁ ପାଥେୟ କରିଥିଲେ । ତାଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ କର୍ମ କୋଲା, ସାପ ଓ ମଇଦାନ, ଏ ନଦୀ ସୂତ୍ର, ରାଜ ଓ ଦି ଇଟାରନାଲ ଗଣେଶ ଆଦି ରହିଛି ।
ଆମେରିକାର ପ୍ରସିଦ୍ଧ ସମ୍ବାଦ ସଂସ୍ଥା ପାଇଁ ଯୁଦ୍ଧ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ଗୀତା । ଇଂରାଜୀ ଭାଷାରେ ଏକାଧିକ ପୁସ୍ତକ ଲେଖି ଦେଶ ପାଇଁ ସୁନାମ ଆଣିଥିଲେ ଗୀତା ମେହେଟ୍ଟା ।
ମିଳିଥିବା ସୂଚନା ଅନୁସାରେ, ଶ୍ରୀମତୀ ମେହେଟ୍ଟା ଗତ 2ବର୍ଷ ଧରି ପାରାଲେସିସ୍ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତକାଲି ରାତିରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ଅବନତି ଦେଖା ଦେଇଥିଲା ଓ ଆଜି ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି ।
2019 ମସିହାରେ ଗୀତା ଭାରତ ସରକାରଙ୍କ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଇ ଚର୍ଚ୍ଚାରେ ରହିଥିଲେ । ତାଙ୍କର ଏକମାତ୍ର ପୁଅ ଆଦିତ୍ୟ ସିଂ ମେହେଟ୍ଟା ଅଛନ୍ତି । ଶ୍ରୀ ମେହେଟ୍ଟା ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ଶେଷଦର୍ଶନ ପାଇଁ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି ।












Click it and Unblock the Notifications