ହାତୀ ପାଟିରେ ଫୁଟିଗଲା ବୋମା, ପ୍ରାଣ ହରାଇଲା ଦନ୍ତା
ଭୁବନେଶ୍ୱର: ହାତୀ ପାଟିରେ ଫୁଟିଲା ବୋମା । ଏହି ବୋମା ବିସ୍ପୋରଣର ଶିକାର ହୋଇ ପ୍ରାଣ ହରାଇଛି ଦନ୍ତା ହାତୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭରତପୁର ଜଙ୍ଗଲରେ । ଗତକାଲି ବିଳମ୍ବିତ ରାତିରେ ହାତୀର ମୃତ୍ୟୁ ହୋଇଛି ।
ହାତୀ ପାଟିରୋ ବୋମା ବିସ୍ପୋରଣ ହେବାରୁ ଗୁରୁତର ଅବସ୍ଥାରେ ଭରତପୁର ଜଙ୍ଗଲରେ ପଡିଥିଲା । ଡିଏଫଓ ଶରତ ଚନ୍ଦ୍ର ବେହେରା ଓୟୁଏଟି ଓ ନନ୍ଦନକାନନର ପଶୁ ଚିକିତ୍ସକଙ୍କୁ ଡକାଇ ହାତୀର ଚିକିତ୍ସା କରାଇଥିଲେ । କିନ୍ତୁ ଗତକାଲି ରାତିରେ ଏହାର ମୃତ୍ୟୁ ହୋଇଛି ।

ପ୍ରାଥମିକ ଚିକିତ୍ସାବେଳେ ଜଣାପଡିଥିଲା ଯେ, ବୋମା ଖାଇ ହାତୀର ଜିଭ ଛିଡିଯାଇଥିବାବେଳେ ମାଢି ଓ ମୁହଁରେ ହାଡ ନଷ୍ଟ ହୋଇଯାଇଥିଲା । ହାତୀଟି ଅନେକ ଦିନରୁ କିଛି ଖାଇପାରିନଥିବାରୁ ଅସୁସ୍ଥ ହୋଇପଡିଥିଲା ବୋଲି କହିଥିଲେ ଚିକିତ୍ସକ । ହାତୀଟି ଅସୁସ୍ଥ ଥିବାରୁ ଆଣ୍ଟି ବାୟୋଟିକ ଦେବା ସହ ଡ୍ରେସିଂ କରାଯାଇଥିଲା । ଓୟୁଏଟି ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥ, ନନ୍ଦନକାନନ ଡାକ୍ତର ସନ୍ତୋଷ ଗୁପ୍ତା ହାତୀର ଚିକିତ୍ସାରେ ଲାଗିଥିଲେ ।
ବନ ବିଭାଗର ସୂଚନା ଅନୁଯାୟୀ, ହାତୀଟି ପ୍ରାୟ 10-12 ଦିନ ହେବ ଖୋର୍ଧା ଅଂଚଳରୁ ଭରତପୁର ଜଙ୍ଗଲକୁ ଆସିଥିଲା । ତେବେ କେଉଁ ଜାଗାରେ କେଉଁ ପରିସ୍ଥିତିରେ ହାତୀଟି ବୋମା ଖାଇଛି ବୋଲି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
କିଛି ଦିନ ପୂର୍ବରୁ ହାତୀଟି ଶିକାରୀଙ୍କ ଦ୍ୱାରା ରଖାଯାଇଥିବା ବିସ୍ଫୋରକ ପଦାର୍ଥ ଖାଇଥିବା ଅନୁମାନ କରାଯାଇଥିଲା । ଯାହାଫଳରେ ପାଟିରେ ବିସ୍ଫୋରକ ସାମଗ୍ରୀଟି ଫୁଟି ଯାଇଥିଲା । ଏହାପରେ ହାତୀଟି ଜଙ୍ଗଲରେ ଗୁରୁତର ଅବସ୍ଥାରେ ପଡିଥିବାର ଦେଖିଥିଲେ ପାଟ୍ରୋଲିଂ କରୁଥିବା ବନବିଭାଗ କର୍ମଚାରୀ । ଏହାପରେ ହାତୀକୁ ଚିକିତ୍ସା ଲାଗି ଆରମ୍ଭ ହୋଇଥିଲା ପ୍ରୟାସ । ହେଲେ ସେଥିରେ ସଫଳ ହୋଇନଥିଲା ବନବିଭାଗ ।












Click it and Unblock the Notifications