Elections 2024: ପୋଷ୍ଟାଲ ବାଲାଟ୍ ରେ ଭୋଟ୍ ଦେଇପାରିବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଡ୍ରାଇଭର, କଣ୍ଡକ୍ଟର
Elections 2024: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ସମସ୍ତ ନାଗରିକଙ୍କ ମତଦାନ ଅଧିକାର କିପରୁ ସାବ୍ୟସ୍ତ ହୋଇପାରିବ ସେ ନେଇ ପ୍ରସ୍ତୁତି କରୁଛନ୍ତି ନିର୍ବାଚନ କମିଶନ । ଏହି କ୍ରମରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନର ମାନଙ୍କୁ ମଧ୍ୟ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ଦିଆଯାଇଛି ।

ଓଡ଼ିଶାରେ ମତଦାନ ଦିନ ଯେଉଁ ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନରମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଯେପରି ମତଦାନ କରିପାରିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ଜିଲା ନିର୍ବାଚନ ଅଧିକାରୀମାନେ ଜଣେ ନୋଡ଼ାଲ ଅଧିକାରୀଙ୍କୁ ମନୋନୀତ କରିବେ, ଯାହାଙ୍କ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ପାଇଁ ବ୍ୟବହୃତ ଗାଡ଼ି ଅଧିଗ୍ରହଣ କରାଯିବ ।
ଯେଉଁ ଡ୍ରାଇଭର, କଣ୍ଡକ୍ଟର ଏବଂ କ୍ଲିନରମାନେ ଏହି ଗାଡ଼ିରେ ନିୟୋଜିତ ଥିବେ ତାଙ୍କର ମତଦାନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ନୋଡ଼ାଲ ଅଧିକାରୀଙ୍କ ଦ୍ୱାରା ନିଶ୍ଚିତ କରାଯିବ ଓ ସେମାନଙ୍କୁ ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ମତଦାନ ପାଇଁ ଫର୍ମ-12 ଯୋଗାଇ ଦିଆଯିବ । ଏହି ଫର୍ମ-12ରେ ଉକ୍ତ ଡ୍ରାଇଭର, କଣ୍ଡକଫର ଓ କ୍ଲିନରଙ୍କ ମତଦାନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଉଚିତ ରୂପେ ପୂରଣ ହୋଇଥିବା ନିଶ୍ଚିତ କରି ନୋଡ଼ାଲ ଅଧିକାରୀ ସେମାନଙ୍କ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କୁ ଅତି କମ୍ରେ ମତଦାନ ତାରିଖର 7 ଦିନ (ସାତଦିନ) ପୂର୍ବରୁ ପଠାଇବେ । ଏହା ଦ୍ୱାରା ଉକ୍ତ ମତଦାତାମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇ ପାରିବ ।
ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ବ୍ୟବସ୍ଥା ଯେପରି ଓଡ଼ିଶାରେ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହୋଇପାରିବ ସେଥିପାଇଁ ସମସ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ କମିଶନ ଓ ସମସ୍ତ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications