ଆଜି ଠୁ ଆରମ୍ଭ ହେବ ଇକୋ ରିଟ୍ରିଟ୍, ଏହି ସବୁ ସ୍ଥାନରେ ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ
ଭୁବନେଶ୍ୱର: ପୁଣି ଖୋଲିବ ଇକୋ ରିଟ୍ରିଟ୍ । ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍ ହୋଟେଲର ସୁବିଧା ।
ଏଥର ତିନି ମାସ ଧରି 7 ଟି ଜାଗାରେ ହେବ ଇକୋ ରିଟ୍ରିଟ୍ । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି 4 ଟି ସ୍ଥାନରେ ଉଦଘାଟିତ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ 4 ଟି ସ୍ଥାନର ଇକୋ ରିଟ୍ରିଟକୁ ଉଦଘାଟନ କରିବେ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ପହିଲାରେ ସୋନପୁର ଓ ଭିତରକନିକା ଏବଂ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର 15 ରୁ କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍, ଓ୍ବାଟର ରାଇଡସ୍, ଜେଟ୍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପଓ୍ୱେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ । ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍ ଓ୍ବେବସାଇଟ୍କୁ ଯାଇ ଯେକୌଣସି ବ୍ୟକ୍ତି ବୁକିଂ କରିପାରିବେ ।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ର ୱେବସାଇଟ୍ bookodisha.com ଓ odishaecoretrets.com ବୁକିଂ ଜାରି ରହିଛି । ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି ।












Click it and Unblock the Notifications