ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର, ଫୁଡ୍ ଡେଲିଭରୀ ସଂସ୍ଥା ସାଜିଛି ମୋହରା
ଭୁବନେଶ୍ୱର: ନିଶା କାରବାର ଉପରେ ରୋକ ଲଗାଇବା ଓ ଚୋରା ଚାଲାଣ ଉପରେ ପଦକ୍ଷେପ ନେବାକୁ ପୋଲିସ୍ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ନିଶା ମାଫିଆ । ଓଡ଼ିଶାରେ ଅନ୍ଲାଇନ୍ରେ ଚାଲିଛି ଡ୍ରଗ୍ସ କାରବାର । ସ୍ୱିଗି, ଜୋମାଟୋ ଭଳି ଫୁଡ ଡେଲିଭରି ବନିଛନ୍ତି ମୋହରା । ଏମିତି ଚାଞ୍ଚଲ୍ୟକର ତଥ୍ୟ ମିଳିଛି 'ନିଶା ମୁକ୍ତ ଭାରତ ଅଭିଯାନ' କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ । କମିଟି ସଦସ୍ୟ ତଥା ଦ୍ୱୈତନଗରୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଆଉ ନିଶା କବଳରେ ଯୁବପିଢ଼ିଙ୍କ ପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି, ଏସବୁ ସଂସ୍ଥାର ଡେଲିଭରି ବୟ୍ ଯୋଗାଉଥିବା ପ୍ୟାକେଟରେ କ'ଣ ଅଛି, ତାହା ପଚାରିବାର ଅଧିକାର ସ୍ୱିଗିର ନାହିଁ । ତେଣୁ ସହଜରେ ଏମାନଙ୍କୁ ବ୍ୟବହାର କରି ଅନଲାଇନରେ ଡ୍ରଗ୍ସ ଚାଲାଣ କରୁଛନ୍ତି ମାଫିଆ । ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା । ଡ୍ରଗ୍ସ ଏବେ ଉପାନ୍ତକୁ ବ୍ୟାପିଲାଣି । ଏସବୁ ନୂଆ ନୂଆ ଚାଲାଣ ତରିକାରୁ ତର୍ଜମା କରାଯାଉଛି । ଥରେ ଖିଅ ମିଳିଗଲେ, ଏନ୍ଫୋର୍ସମେଣ୍ଟ ଟିମ୍ କାର୍ଯ୍ୟାନୁଷ୍ଠାନ ନେବ ।
ପୂର୍ବରୁ ଅଧିକାଂଶ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀ ହିଁ ଡ୍ରଗ୍ସ ନେଉଥିଲେ । ଏବେ ତାହା ସବୁ କଲେଜକୁ ବ୍ୟାପିଲାଣି । ଭାରତକୁ ନିଶା ମୁକ୍ତ କରିବା ଦିଗରେ ପ୍ରଥମେ ଯୁବପିଢ଼ି ସମେତ ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ପଡି଼ବ ବୋଲି ସେ ମତପ୍ରକାଶ କରିଥିଲେ ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଆନୁକୂଲ୍ୟରେ ଏହି ରାଜ୍ୟ କମିଟିର ବୈଠକ ଚାଲିଥିଲା । ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶା ନିବାରଣ ସମ୍ପର୍କୀତ ସଚେତନତା ଅଭିଯାନକୁ ଜୋର୍ଜାର୍ କରିବାକୁ ସେ ଗୁରୁତ୍ୱ ଦେଇଥିଲେ । ଖାଲି ସରକାରୀ କଳ ନୁହେଁ, ଏହି ଅଭିଯାନରେ ସ୍ୱେଚ୍ଛାସେବୀ ସଂଗଠନ, ଛାତ୍ର, ଯୁବଗୋଷ୍ଠୀ, ଯୁବନେତୃତ୍ୱ, କ୍ରୀଡ଼ାବିତ୍ ଓ ନାଗରିକ ସମାଜର ସହଯୋଗ ଦରକାର ବୋଲି ଶ୍ରୀ ସେଠୀ କହିଥିଲେ ।












Click it and Unblock the Notifications