ତିନି ମାସ ମଧ୍ୟରେ ପୂରଣ ହେବ ଡ୍ରାଇଭରଙ୍କ ଦାବି
ସାରା ଓଡ଼ିଶାରେ ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା 3 ମାସ ମଧ୍ୟରେ ମହାସଂଘର ଦାବି ପୂରଣ ହେବ । ଏ ନେଇ ନିଆଯାଇଛି ନିଷ୍ପତ୍ତି ।

ଭୁବନେଶ୍ୱର: ସାରା ଓଡ଼ିଶାରେ ଡ୍ରାଇଭର ଏକତା ମହାସଂଘର ଆନ୍ଦୋଳନର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆସନ୍ତା 3 ମାସ ମଧ୍ୟରେ ମହାସଂଘର ଦାବି ପୂରଣ ହେବ । ଏ ନେଇ ନିଆଯାଇଛି ନିଷ୍ପତ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଏଥିରେ ସାମିଲ ଥିଲେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ । ଆଲୋଚନା ପରେ ଆସନ୍ତା ତିନି ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର ।

ଏହା ପରେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ନା ପୁଣି ଷ୍ଟିଅରିଂ ଛାଡ଼ି ରାଜରାସ୍ତାରେ ବସି ରହିବେ ତାହା ଦେଖିବାକୁ ବାକି ରହିଲା । ଗତ ଦୁଇ ଦିନ ଧରି 10 ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ଷ୍ଟିୟରିଂ ଛାଡ଼ି ରାଜରାସ୍ତାକୁ ଓହ୍ଲାଇଥିଲେ । ରାଜ୍ୟର ସମସ୍ତ ବ୍ଲକ୍ ଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଆଡ଼େ ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି । ସାରା ରାଜ୍ୟରେ ଏକ ପ୍ରକାର ଚକଅଖ ବନ୍ଦ ହୋଇଯାଇଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପ୍ରଭାବିତ ହୋଇଛି ।
ଆନ୍ଦୋଳନର ଦ୍ୱିତୀୟ ଦିନରେ କେତେକ ସ୍ଥାନରେ ପରିସ୍ଥିତି ଜଟିଳ ହୋଇଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ତମାଣ୍ଡୋ, ବ୍ରହ୍ମପୁର ଆଦି କେତେକ ସ୍ଥାନରେ ଆନ୍ଦୋଳନକାରୀ ଡ୍ରାଇଭର ଓ ପୋଲିସ୍ ମୁହାଁମୁହିଁ ହୋଇଥିଲେ ।












Click it and Unblock the Notifications