ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ, ତଥାପି ବଞ୍ଚାଇଲେ 50 ଯାତ୍ରୀଙ୍କ ଜୀବନ
ନୀଳଗିରି: ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ । ଚାଲିଗଲା ଜୀବନ । ତଥାପି ବଞ୍ଚାଇଦେଲେ 50 ଯାତ୍ରୀଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ।
ବସ୍ ଟି ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଡ୍ରାଇଭରଙ୍କୁ ଆସିଥିଲା ହାର୍ଟ ଆଟାକ୍ । ମୃତ୍ୟୁର ଆଗୁଆ ସନ୍ଦେଶ କୁ ବୋଧ ହୁଏ ଜାଣିପାରିଥିଲେ ଡ୍ରାଇଭର । ତଥାପି ନିଜର କର୍ତ୍ତବ୍ୟ ଭୁଲିନଥିଲେ । ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା 50 ରୁ ଅଧିକ ଜୀବନ ।

ମିଳିଥିବା ସୂଚନା ଅନୁସାରେ, ପଶ୍ଚିମବଙ୍ଗ ରୁ 50 ରୁ ଅଧିକ ପର୍ଯ୍ୟଟକ ପଞ୍ଚଲିଙ୍ଗେଶ୍ୱରକୁ ଏକ୍ ବସ୍ରେ ଆସୁଥିଲେ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ହଠାତ୍ ଡ୍ରାଇଭର ଜଣଙ୍କ ଅସୁସ୍ଥ ହୋଇପଡିଥିଲେ । ବେଶି କିଛି ଘଟିବା ପୂର୍ବରୁ ଡ୍ରାଇଭର ଜଣଙ୍କ ନିଜ ଉପସ୍ଥିତି ବୁଦ୍ଧି ଖଟାଇ ରାସ୍ତାକଡ଼ରେ ବସ୍କୁ ରଖିଥିଲେ । ଏହାପରେ ଷ୍ଟେରିଂ ଉପରେ ଅଚେତ ହୋଇ ପଡିଯାଇଥିଲେ ଡ୍ରାଇଭର । ଗାଡିଟି ରାସ୍ତାରେ ରହିବା ପରେ ଯାତ୍ରୀ ଏବଂ ସ୍ଥାନୀୟ ଲୋକେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ଅନ୍ୟପଟେ ରାସ୍ତାରେ ବସଟି ଛିଡ଼ା ହୋଇଥିବାରୁ ପର୍ଯ୍ୟଟକ ହଇରାଣ ହେଉଥିଲେ । ଏଣୁ ସ୍ଥାନୀୟ ଯୁବକ ବସକୁ ପଞ୍ଚଲିଙ୍ଗେଶ୍ୱର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ । ସ୍ଥାନୀୟ ଲୋକଙ୍କର ଏପରି ମହାନତାକୁ ପ୍ରଶଂସା କରିଛନ୍ତି ପର୍ଯ୍ୟଟକ
ଡ୍ରାଇଭରଙ୍କ ମୃତ୍ୟୁ ସମ୍ପର୍କରେ ବସ୍ ମାଲିକଙ୍କୁ ଜଣାଇ ଦିଆଯାଇଥିବା ବେଳେ ସେ ଆଉ ଜଣେ ଡ୍ରାଇଭରଙ୍କୁ ପଠାଇବା ବ୍ୟବସ୍ଥା କରୁଥିବା ପର୍ଯ୍ୟଟକମାନେ କହିଛନ୍ତି । ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ଯୋଗୁ ବେଶ୍ ଖୁସି ଥିବା ପର୍ଯ୍ୟଟକ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଞ୍ଚଲିଙ୍ଗେଶ୍ୱର ବୁଲିବା ପରେ ସେମାନେ ପୁରୀ ଯିବେ ଓ ସେଠାରୁ ହାଓଡା ଯିବେ ବୋଲି ସୂଚନା ଦେଇଛନ୍ତି ।












Click it and Unblock the Notifications