ଆରମ୍ଭ ହେଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ, ସମ୍ମାନିତ ହେଲେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ
ଭୁବନେଶ୍ଵର: ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ 5 ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି । ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଅବସରରେ ସମସ୍ତେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ମାତୃଭାଷା ଓଡ଼ିଆର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମାନରେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।
ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । 3ଟି ବିସ୍ତୃତ ବିଷୟ ଓ ସମୟସୀମା ପ୍ରାଚୀନ, ମଧ୍ୟ ଓ ଆଧୁନିକ ଉପରେ ଆୟୋଜିତ ହୋଇଛି ପ୍ରଦର୍ଶନୀ । 5 ବରପୁତ୍ରଙ୍କ ନାଁରେ ସମ୍ମିଳନୀ କକ୍ଷ କରାଯାଇଛି । ସମ୍ମିଳନୀରେ ସାମିଲ ହେଉଛନ୍ତି ଦେଶ ବିଦେଶର ଖ୍ୟାତିସମ୍ପନ୍ନ ଭାଷାବିତ୍, ଲେଖକ ଓ ସାହିତ୍ୟିକ । ମୋଟ୍ 17 ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି । ଏଥିରେ ଦେଶ ବିଦେଶରୁ 100 ରୁ ଅଧିକ ଭାଷାବିତ ଯୋଗଦେଇ ସେମାନଙ୍କର ମତ ରଖିବେ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ ରାଜ୍ୟ ସରକାର ।
ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି । ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ମଧ୍ୟ ହୋଇଛି । ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହୋଇଛନ୍ତି ।
ଓଡ଼ିଆ ଭାଷା ଉପରେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନ ବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡିଆ ସମ୍ମାନରେ ସମ୍ମାନିତ କରାଯାଇଛି । ଡକ୍ଟର ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ଭାବରେ ସମୃଦ୍ଧ କରିଛି । ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ଓ ଭାଷାବିତ୍ ଭାବରେ ଡକ୍ଟର ପଟ୍ଟନାୟକ ବେଶ୍ ସୁପରିଚିତ । ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ଡକ୍ଟର ପଟ୍ଟନାୟକ ଅନେକ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ଭାଷା ସମୂହର ବିକାଶ ଦିଗରେ ତାଙ୍କର ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ପଟ୍ଟନାୟକ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦିଗରେ ଡକ୍ଟର ପଟ୍ଟନାୟକଙ୍କ ବହୁମୂଲ୍ୟ ଅବଦାନ ସର୍ବଜନବିଦିତ ।












Click it and Unblock the Notifications