ଯୌତୁକ ଜୁଇରେ ଗଲା ନବବଧୂର ଜୀବନ, ଶ୍ୱଶୁର ଘର ଲୋକ ଫେରାର
ପାପଡାହାଣ୍ଡି: ଅଧିକ ଯୌତୁକ ଦାବି ଓ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ନବବଧୂ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧୀନ ଭିମାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନବବଧୂଙ୍କୁ ଶଶୁର ଘରଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ବାପା ଘର ଲୋକ । ନବବଧୂଙ୍କ ମା' ଥାନାରେ ଲିଖିତ ଅଭିଯୋଗ ପରେ ଫେରାର ଅଛନ୍ତି ଶଶୁର ଘର ଲୋକ ।
ନବବଧୂର ମୃତଦେହକୁ ନେଇ ଉତ୍ତେଜନା ଦେଖାଯାଇଛି। ମୃତଦେହ ରଖି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପାଘର ଲୋକ ଧାରଣା ଦେଇଛନ୍ତି। ପୁଲିସର ପ୍ରତିଶ୍ରୁତି ପରେ ପରିବାର ଲୋକେ ଧାରଣାରୁ ଉଠିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ମହକୁମା ନିବାସୀ ରାମ ସେଠୀ ଓ ସୁଷମା ସେଠୀଙ୍କ ଝିଅ ଗୀତା ସେଠୀ (24)ଙ୍କୁ 2023 ମସିହା ଜୁଲାଇ ମାସ 11 ତାରିଖ ଦିନ ଜୟପୁରସ୍ଥିତ ବାରଣିପୁଟ ଠାରେ ପାପଡାହାଣ୍ଡି ଗ୍ରାମର ବନମାଳୀ ସେଠୀଙ୍କ ପୁଅ ତଥା ଶିକ୍ଷକ ସୁଦାମ ବାହା ହୋଇଥିଲେ । ହେଲେ ଏହି ବିବାହର 6 ମାସ ମଧ୍ୟରେ ଶଶୁର ଘରଲୋକେ ଅଧିକ ଯୌତୁକ ଦାବି କରି ଗୀତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ ।

ନିର୍ଯାତନା ଦେଉଥିବା ବିଷୟରେ ଗୀତା ବାପାଘର ଲୋକଙ୍କୁ କହିବା ସହ ଆଉ ସ୍ୱାମୀ ପାଖରେ ରହିବି ନାହିଁ ବୋଲି ମଧ୍ୟ କହିଥିଲେ ଓ ପରବର୍ତ୍ତୀ ସମୟରେ ବାପଘରକୁ ଯାଇଥିଲେ । ବାପା ଘରଲୋକ ଧୀରେଧୀରେ ସବୁ ଠିକ ହୋଇଯିବ କହି ଗୀତାଙ୍କୁ ବୁଝାଇ ଶଶୁରଘରକୁ ପଠେଇଦେଇଥିଲେ । ଶୁକ୍ରବାର ସକାଳ 10 ଟାରେ ଗୀତା ତାଙ୍କ ମଝିଆଭଉଣୀ ମାନସୀଙ୍କୁ ଫୋନକରି ସ୍ୱାମୀ ମାଡ଼ମାରୁଛନ୍ତି ବୋଲି କହିଥିଲେ । ଏହି ଘଟଣାର ଠିକ 4 ଘଣ୍ଟା ମଧ୍ୟରେ ଅର୍ଥାତ ଅପରାହ୍ନ ପ୍ରାୟ 2 ଟାରେ ଶଶୁର ଘରଲୋକଙ୍କୁ ଫୋନ କରି କହିଥିଲେ ଗୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛି ।
ଏହାପରେ ବାପ ଘରଲୋକ ପାପଡାହାଣ୍ଡି ପହଞ୍ଚିବା ଭିତରେ ଗୀତାକୁ ଆଣି ସୁଦାମ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଗୀତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସୁଦାମ ଥାନାକୁ ଯାଇ ମୋ ସ୍ତ୍ରୀ ଆତ୍ମହତ୍ୟା କରିଛି । ଏବେ ତାର ମୃତଦେହ ମେଡିକାଲରେ ଅଛି ବୋଲି କହିଥିଲେ । ରାତି 9 ଟାରେ ଗୀତାଙ୍କ ମା', ସ୍ୱାମୀ, ଶାଶୂ, ନଣନ୍ଦ, ଭଣଜାଙ୍କ ନାରେ ଯୌତୁକ ନିର୍ଯାତନା ସହ ହତ୍ୟା କରିଥିବା ନେଇ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୀତାଙ୍କ ସ୍ବାମୀଙ୍କ ସମେତ ଶଶୁର ଘର ଲୋକ ଫେରାର ଅଛନ୍ତି ।












Click it and Unblock the Notifications