ଯେତେ ଖୋଜିଲେ ସେତେ ବାହାରୁଛି, ତିନି ଦିନ ଧରି DN ଗ୍ରୁପ୍ ଉପରେ ଜାରି ରହିଛି ଆୟକର ଚଢଉ
ଭୁବନେଶ୍ୱର: ଡିଏନ୍ ଗ୍ରୁପ ଉପରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଆଇଟି ରେଡ୍ ଆଜି ତୃତୀୟ ଦିନରେ ମଧ୍ୟ ଜାରି ରହିଛି । ଆୟକର ବିଭାଗର 7ଟି ଟିମ୍ ଏହି ଚଢାଉ ଜାରି ରଖିଛନ୍ତି । ଚଢାଉ ଯେତେ ଅଧିକ ହେଉଛି, ସେତେ ଟଙ୍କା ମିଳୁଛି । କମ୍ପାମୀର ଅଧିକାରୀ ଏବଂ କର୍ମଚାରୀଙ୍କ ଘରୁ ମିଳୁଛି ଟଙ୍କା ଭର୍ତ୍ତି ବ୍ୟାଗ୍ । ଏପରିକି ଜବତ ଟଙ୍କା ଗଣିବାକୁ ମେସିନ ଲାଗିଥିଲେ ବି ରାତି ପାହିଯାଉଛି ।
ଚଢଉର ପ୍ରଥମ ଦିନରେ ପ୍ରାୟ 30 କୋଟି ଟଙ୍କା ନଗଦ ରାଶି ଜବତ ହୋଇଥିବା ବେଳେ ଗତକାଲି ଦ୍ୱିତୀୟ ଦିନରେ ପ୍ରାୟ ଏକ କୋଟି ଟଙ୍କାର ଫେକ୍ ନୋଟ୍ ମିଳିଥିବା ସୂଚନା ମିଳିଥିଲା ।

ଏପରିକି ଏହି ଚଢାଉରେ 100 କୋଟି ଟଙ୍କାର କ୍ୟାସ୍ ରିସିପ୍ଟ ମଧ୍ୟ ଆଇଟି ହାତରେ ଲାଗିଛି । ଏହାକୁ ନେଇ ଅଧିକ ଖୋଲତାଡ଼ କରୁଛନ୍ତି ଅଧିକାରୀ । ଏ ନେଇ ଆୟକର ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ବିଭାଗର 7 ଟି ଟିମ୍ ଡିଏନ୍ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି । ଡିଏନ୍ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି ।
ଗତକାଲି ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଜବକତ କରିଥିଲା ଆୟକର ବିଭାଗ । ଦୁଇ ଦିନରେ ଏତେ ଟଙ୍କା ଜବତ ହୋଇଛି ଯେ ଗଣି ଗଣି ରାତି ପାହି ଯାଉଛି, ହେଲେ ଗଣତି ସରୁନି ।
ସଂସ୍ଥାର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ 23 ଟି ସ୍ଥାନରେ ଚଢ଼ଉ କରାଯାଇଛି । ୟୁନିଟ୍-4 ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ 30 କୋଟି ଟଙ୍କା ମିଳିଛି । ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି । ଏତେ ପରିମାଣର ଟଙ୍କା ମିଳିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ।
ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି ।












Click it and Unblock the Notifications