ଦିଗପହଣ୍ଡି ବସ୍ ଦୁର୍ଘଟଣା : ଶୋକ ପ୍ରକାଶ କରି ସହାୟତା ରାଶି ଘୋଷଣା କଲେ ରାଜ୍ୟ ଓ କେନ୍ଦ୍ର ସରକାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି, ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା । ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଏବଂ ଆହତଙ୍କୁ 50 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଏହା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ। ।
ଦୁର୍ଘଟଣାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ମହାପ୍ରଭୁ ଶୋକସନ୍ତପ୍ତ ପରିବାରଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।
ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ 3 ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ଘୋଷଣା ଘୋଷଣା କରିଛନ୍ତି । ଏହାଛଡ଼ା ଆହତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଉଲ୍ଲେଖଥାଉକି, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଲରେ 12 ଜଣଙ୍କର ମୃତ୍ୟୁ ହୋଇଛି । 8 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଓ 2 ଶିଶୁ ଅଛନ୍ତି ।
ମୃତକ 12 ଜଣ ମଧ୍ୟରେ ଗୋଟିଏ ପରିବାରର 7 ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ 11 ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ରେଣୁବାଳାଙ୍କ ଦିଅର, 2 ଝିଆରୀ ଓ ନାତି ଥିବା କୁହାଯାଉଛି । ମୃତକଙ୍କ ମଧ୍ୟରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସମ୍ପର୍କୀୟ ଥିବା ମଧ୍ୟ କୁହଯାଉଛି ।
ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗୁଡାରିଠାରୁ ଭୁବନେଶ୍ୱର ଯାଉଥିବା ଓଏସ୍ଆର୍ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକଠାରେ ବିବାହ ଭୋଜି ସାରି ଫେରୁଥିବା ଏକ ଘରୋଇ ବସ୍କୁ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ବୋଲି ଖବର ମିଳିଛି । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ବସ୍ ଟି ଓଲଟି ପଡ଼ିଥିଲା । ବସ୍ ତଳେ ଅନେକ ଯାତ୍ରୀ ଚାପି ହୋଇ ପ୍ରାଣ ହରାଇଛନ୍ତି ।












Click it and Unblock the Notifications