ବାହାଘରରେ ଖୁସିମଜା କଲେ, ହାତଗଣ୍ଠି ବି ଫିଟାଇଲେ.., ହେଲେ ଆଜି ଆଉ ନାହାଁନ୍ତି
ବ୍ରହ୍ମପୁର: ଦିଗପହଣ୍ଡି ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଯାଇଛି 12 ଜଣଙ୍କର ଜୀବନ । ସେଥିରେ ଦୁଇ ଜଣ ଶିଶୁ ବି ରହିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ସାରା ରାଜ୍ୟ ସବ୍ଧ ହୋଇଯାଇଛି ।

କାଲି ବାହାଘରରେ ଯୋଗ ଦେବା ପାଇଁ ଯାଇଥିଲେ ବ୍ରହ୍ମପୁର । ବାହାଘରରେ ସାମିଲ ହେଲେ, ନାଚିଲେ ଭୋଜି ବି ଖାଇଲେ । ଏମିତି କି ହାତଗଣ୍ଠି ଫିଟାବେଳେ ଖୁବ୍ ମଜାମସ୍ତି ବି କଲେ । ହେଲେ କିଏ ଜାଣଇିଥିଲା ଫେରିବା ବାଟରେ ଜଗି ରହିଛି ନିର୍ଦ୍ଦୟ କାଳ । ସାମ୍ନା ପଟୁ ଆସୁଥିବା ବସ୍ ଧକ୍କାରେ ଚାଲିଗଲା 12 ଜଣଙ୍କର ଜୀବନ ।
ବର୍ତ୍ତମାନ ଦୁର୍ଘଟଣା ପରେ ଗତକାଲିର ବାହାଘର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି କୋହ ସମ୍ଭାଳି ପାରୁନାହାଁନ୍ତି ସାଧାରଣ ଲୋକ ।
ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ଥିଲା ବାହାଘର । ଉତ୍ସବରେ ଯୋଗଦେବା ପାଇଁ ଯାଇଥିଲେ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ ପ୍ରାୟ 30 ଜଣ ଲୋକ । ବାହାଘର ସରିଲା । ବାହାଘର ଭୋଜି ଖାଇ କନ୍ୟା ବିଦା ପରେ ମିନି ବସରେ ନିଜ ଗାଁକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।
ଆଉ କିଛି ସମୟ ପରେ ଘରେ ପହଞ୍ଚିଯାଇଥାନ୍ତେ । କିନ୍ତୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଅନେକ ଜୀବନ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଖେମୁଣ୍ଡି ଛକ ପାରି ହୋଇ ମଳାଭଂଜା ନିକଟରେ ମିନି ବସକୁ ଗୁଡାରୀରୁ ବ୍ରହ୍ମପୁର ଆସୁଥିବା ଓଏସଆରଟିସିର ଏକ ବସ୍ ଦ୍ରୁତ ଗତିରେ ଧକ୍କା ଦେଇଥିଲା । ତା ପରେ ଶୁଭିଥିଲା କେବଳ କାନ୍ଦ ବୋବାଳି । ସ୍ଥାନୀୟ ଲୋକ ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ସେତେବେଳକୁ 11 ଜଣଙ୍କର ଜୀବନ ଚାଲିଗଲାଣି । ଡାକ୍ତରଖାନା ନେବା ବାଟରେ ଆଉ ଜଣେ ଆଖି ବୁଜିଥିଲେ ।
ହେଲେ, ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟ । ଏମାନଙ୍କ ସହିତ ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନଙ୍କର ମଧ୍ୟ ମୃତ୍ୟୁ ଘଟିଛି।












Click it and Unblock the Notifications