ଥମୁନି ଝାଡ଼ାବାନ୍ତି ଆତଙ୍କ, ଗଲାଣି 9 ଜୀବନ
ରାଉରକେଲା: ଥମୁନି ଝାଡ଼ାବାନ୍ତି ଆତଙ୍କ । 8 ଦିନ ଧରି ରାଉରକେଲାରେ ଝାଡ଼ାବାନ୍ତି ଲାଗି ରହିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ପାଉଛି । ଗତକାଲି ପୁଣି ଡାଇରିଆରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ସେକ୍ଟର 21 ନୟାବଜାରର ସରୋଜନୀ ଖଣ୍ଡାୟତ ଏବଂ କିସାନଟୋଲାର ବିଜୟ କିସାନ । ଏହାକୁ ମିଶାଇ 3 ଦିନରେ ମୃତକଙ୍କ ସଂଖ୍ୟା 9 ରେ ପହଞ୍ଚିଛି ।

ସଂକ୍ରମିତ 136 ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରେ 12 ଜଣ ଶିଶୁ ଅଛନ୍ତି । ବିଶେଷ କରି ସହରର କୋଏଲ ନଗର, ନାଲାରୋଡ, ଉଦିତନଗର, ଛେଣ୍ଡ କଲୋନି, ବାସନ୍ତୀ କଲୋନୀ, ପାନପୋଷ ବାଲୁଘାଟ ଆଦି ଅଞ୍ଚଳରେ ବେଶି ବ୍ୟାପିଛି ରୋଗ ।ତେବେ ପାନପୋଷ ଓ ଛେଣ୍ଡ କଲୋନୀକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି । ସମସ୍ତ ଅଞ୍ଚଳର ପାଣି ପରୀକ୍ଷା କରାଯାଇଛି । ହେଲେ ଏସବୁ ଅଞ୍ଚଳର ପାଣି ଦୂଷିତ ନ ଥିବା କୁହଯାଉଛି । ତେଣୁ ଖାଦ୍ୟରୁ ଏହା ବ୍ୟାପିଥିବା ଅନୁମାନ କରାଯାଉଛି ।
ସଂକ୍ରମଣ ରୋକିବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ତତ୍ପରତା ଦେଖାଇଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ 12 ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବାଣ୍ଟୁଛନ୍ତି । ଆବଶ୍ୟକ ପଡିଲେ ରୋଗୀଙ୍କୁ ଡାକ୍ତରଖାନା ପଠାଯାଉଛି । ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆରିଜିଏଚର ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ କହିଛନ୍ତି, ପାଣିରୁ ଡାଇରିଆ ସଂକ୍ରମଣ ହେଉଛି । ମାକ୍ରୋ ବାୟୋଲଜିକାଲ ରିପୋର୍ଟ ହସ୍ତଗତ ହୋଇଛି ।












Click it and Unblock the Notifications