ଦୁର୍ଘଟଣା ଓ ତିନି ଜୀବନହାନି ପଛରେ ନିଶା... ଚଳନ୍ତା ଗାଡ଼ିରେ ଶୋଇଥିଲେ ଡ୍ରାଇଭର
ନୟାଗଡ଼: ଦଶପଲ୍ଲା ନିକଚରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପଛର କାରଣ ନିଶା । ଚଳନ୍ତା ଗାଡ଼ିରେ ଶୋଇଥିଲେ ଡ୍ରାଇଭର । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ ହେଲପର । ଫଳରେ ଦୁର୍ଘଟଣା ଘଟିଛି । ଏ ଭଳି ସୂଚନା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବସ୍- ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଫଳରକେ ତିନି ଛାତ୍ରଛାତ୍ରୀଙ୍କ ଜୀବନହାନି ହୋଇଛି । ଏହା ସହ 11 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ପଛରେ ସାଂଘାତିକ ତ୍ରୁଟି ରହିଥିବା ଘଟଣା ସାମନାକୁ ଆସିଛି ।

ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଡ୍ରାଇଭର ବଦଳରେ ହେଲପର ଚଳାଉଥିଲେ । ଡ୍ରାଇଭରଜଣକ ଶୋଇ ପଡ଼ିଥିବା ବେଳେ ହେଲପର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ଏ ନେଇ ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ଏହି ଘଟଣା ଉପରୁ ଧିରେ ଧିରେ ପରଦା ହଟୁଛି । ପୂରା ମାମଲାର ଏବେ ତଦନ୍ତ ଚାଲିଛି, ପ୍ରମାଣ ଯୋଗାଡ଼ କରାଯାଉଛି । ସବୁ କିଛି ସରିବା ପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ।
ଉଲ୍ଲେଖଥାଉକି, ଦଶପଲ୍ଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର 50 ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ । ବୁଗୁଡ଼ା ନିକଟ ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏକ ଟ୍ରକ ସହ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ 2 ଜଣ ଏବଂ ମେଡିକାଲ ଯିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା ।
11 ଗୁରୁତରଙ୍କ ମଧ୍ୟରୁ 4 ଜଣ ଦଶପଲ୍ଲା ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ 7 ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ବେହେରା ଓ ନୟାଗଡ଼ ଏସପି ରାହୁଲ ଜୈନ ମେଡିକାଲ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।












Click it and Unblock the Notifications