ତିନି ବର୍ଷରେ ଭୁଶୁଡ଼ିଲା 3 କୋଟିର ଡ୍ୟାମ୍
ଢେଙ୍କାନାଳ: ତିନି କୋଟିର ଡ୍ୟାମ୍ ରୁ ପୁରିଲାନି ତିନି ବିର୍ଷ । ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ଡ୍ୟାମ୍ ମାତ୍ର 3 ବର୍ଷରେ ଭୁଶୁଡ଼ି ପଡ଼ିଛି । ଡ୍ୟାମରେ ବିରାଟକାୟ ଘଳିଆ ସୃଷ୍ଟି ହୋଇଛି । ଫଳରେ ଜଳଯୋଗାଣ ବନ୍ଦ ରହିଛି । ଲୋକେ ପାନୀୟ ଜଳ ନ ପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଅଧିକାରୀ କହୁଛନ୍ତି ସାମାନ୍ୟ ଲିକ୍ ହୋଇଛି, ମରାମତି ହୋଇଯିବ ।

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ରେକୁଳା ଗାଁରେ । ରେକୁଳା ଗାଁରେ ପ୍ରବାହିତ ହେଉଥିବା ରାମିଆଳ ନଦୀରେ ପ୍ରାୟ 3 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଡ୍ୟାମ । ଡ୍ୟାମରେ ଏକ ବିରାଟକାୟ ଘୋଳିଆ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଦୁଇ ସାଇଡ ଟୋ-ୱାଲ୍ ଗୁଡିକ ମଧ୍ୟ ଭୁଶୁଡି ପଡିଛି । ଯାହା ଫଳରେ ରାମିଆଳ ନଦୀରେ ଜଳପତନ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଏହା ଦ୍ଵାରା କାମାକ୍ଷାନଗର ଏନଏସିରେ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।
ଏନଏସିର 15 ଟି ୱାର୍ଡର ବାସିନ୍ଦା ନଦୀ ଜଳ ଉପରେ ନିର୍ଭର କରି ଆସୁଛନ୍ତି । ରାମିଆଳ ନଦୀରୁ ଏନଏସିର ଘର ଘରକୁ ପାନୀୟ ଜଳ ଯୋଗାଣ କରୁଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ।
ସୂଚନାଥାଉକି, 2019-20 ମସିହାରେ ପ୍ରାୟ 3 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡ୍ୟାମଟି ଭୁଶୁଡି ଯିବା ଯୋଗୁଁ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କ ଭିତିରି ବୁଝାମଣା ଯୋଗୁଁ ଏପରି ଘଟଣା ସାମ୍ନାକୁ ଆସିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏ ନେଇ ସ୍ଥାନୀୟ ଠିକାଦାର ମୁହଁ ଖୋଲି ନଥିବା ବେଳେ ଘଟଣାଟିର ତଦନ୍ତ ଚାଲିଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ସେପଟେ ୱାର୍ଡବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପିଏଚଡି କର୍ତ୍ତୃପକ୍ଷ ମେସିନ ଲଗାଇ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି । ତେବେ ଏଥିନିମନ୍ତେ ଆଉ କିଛି ଦିନ ସମୟ ଲାଗିବ ବୋଲି ଅନୁମାନ କରାଯାଇଛି ।












Click it and Unblock the Notifications