ଏଥର କେବେ ଆସିବ ବାତ୍ୟା ? କଣ କହୁଛି ପଣିପାଗ ବିଭାଗ...
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆହୁରି ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏଥି ମଧ୍ୟରେ ଅକ୍ଟୋବର ମାସ ଆରମ୍ଭ ସହିତ ଓଡ଼ିଶା ପାଇଁ ଆସିଯାଇଛି ବାତ୍ୟା ଋତୁ ।
ବିଗତ କିଛି ବର୍ଷକୁ ଲକ୍ଷ କଲେ, ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ ବାତ୍ୟା ଭୟ ରହିଥାଏ । ଡିସେମ୍ବର ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଏ ଦୃଷ୍ଟିରୁ ସମ୍ବେଦନଶୀଳ । କିନ୍ତୁ ଚଳିତ ବର୍ଷ ବିଶେଷ ବାତ୍ୟା ଆସିନପାରେ । ଏବେ ଏଲ୍-ନିନୋର ପ୍ରଭାବ ଅଧିକ ରହିଥିବାରୁ ଅପେକ୍ଷାକୃତ କମ୍ ବାତ୍ୟା ଆସିପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ପାଣିପାଗ ବିଭାଗର ଏହି ସୂଚନା ଓଡ଼ିଶାକୁ ଆଶ୍ୱସ୍ତ କରିବ । ତଥାପି ଡିସେମ୍ବର ଯାଏଁ ପାଣିପାଗ ଚିତ୍ର ଉପରେ ସତର୍କ ନଜର ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ 4 ତାରିଖ ପରେ ରାଜ୍ୟରେ ପରବର୍ତ୍ତୀ 7ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ ।
ଅନ୍ୟପକ୍ଷରେ ରାଜ୍ୟରୁ ମୌସୁମୀ ଅପସାରଣ ପ୍ରକ୍ରିୟା ସ୍ବାଭାବିକ ସମୟରେ ଆରମ୍ଭ ହେବା ସମ୍ଭାବନା ଅଧିକ । ମାତ୍ର ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ଫେରିବାରେ ବିଳମ୍ବ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଫଳରେ ବାତ୍ୟା ସୃଷ୍ଟିରେ ମଧ୍ୟ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାଧକ ହେବ । ଡ. ପଶୁପାଳକ କହିଛନ୍ତି ଯେ ପୂର୍ବ ବିହାର, ଧାନ୍ବାଦ୍ରୁ ଓଡ଼ିଶାର ରାଉରକେଲା ପର୍ଯ୍ୟନ୍ତ, ବିଶେଷକରି ପଶ୍ଚିମ ଓଡ଼ିଶାରୁ ଅକ୍ଟୋବର 15 ପାଖାପାଖି ମୌସୁମୀ ଅପସାରିତ ହୋଇପାରେ ।
କିନ୍ତୁ ଉପକୂଳ ଓଡ଼ିଶାରୁ ମୌସୁମୀ ଶୀଘ୍ର ଫେରିବାର ସମ୍ଭାବନା କ୍ଷୀଣ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର କିଛି ଅଞ୍ଚଳ ସହ ଉପକୂଳ ଓଡ଼ିଶାରେ ଏବେ ଦକ୍ଷିଣରୁ ସାମୁଦ୍ରିକ ପବନ ପ୍ରବାହିତ ହେଉଛି । ନିକଟରେ ଉତ୍ତରା ପବନ ବହିବାର ବିଶେଷ ସଙ୍କେତ ମିଳୁନାହିଁ । ଫଳରେ ମୌସୁମୀ ଟିକେ ବିଳମ୍ବରେ ଫେରିପାରେ ବୋଲି ସେ ଆକଳନ କରିଛନ୍ତି । ତେବେ ବାୟୁର ଗତିବିଧିକୁ ନେଇ ଅଧିକ ଅନୁଧ୍ୟାନ ଚାଲିଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ସ୍ବାଭାବିକ ଭାବେ 17 ସେପ୍ଟେମ୍ବରରୁ ଦେଶରୁ ମୌସୁମୀ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । କିନ୍ତୁ ଚଳିତ ବର୍ଷ 25 ସେପ୍ଟେମ୍ବରରୁ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିଲା । ଅର୍ଥାତ 8 ଦିନ ବିଳମ୍ବରେ ଦେଶରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଓଡ଼ିଶାରୁ ମୌସୁମୀ ଡେରିରେ ଫେରିବା ନେଇ ଆକଳନ କରାଯାଉଛି ।












Click it and Unblock the Notifications