ବାତ୍ୟା 'ମିଗଜୋମ': ବୁଧବାର ଗଜପତି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି
ବାତ୍ୟା 'ମିଗଜୋମ': ଆନ୍ଧ୍ର ଉପକୂଳରେ ସମାନ୍ତରାଳ ଭାବେ ଗତି କରୁଛି ବାତ୍ୟା ମିଗଜୋମ୍ । ନେଲୋର ଓ ମଛଲିପଟନମ୍ ମଧ୍ୟରେ ବାପାଟଲା ଉପକୂଳରେ ଭୀଷଣ ବାତ୍ୟା ଭାବରେ ସ୍ଥଳଭାଗ ଛୁଉଁଛି । ଏହା ପୂର୍ବାହ୍ନ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 90-100 କିଲୋମିଟର ରହିବ ।

ବାତ୍ୟା ମିଗଜୋମ୍ ର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡିବ ନାହିଁ । ତଥାପି ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି । ରାଜ୍ୟରେ ଏହାର ପ୍ରଭାବ ଦୁଇରୁ ତିନି ଦିନ ରହିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି 5 ଜିଲ୍ଲା ପାଇଁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହି ସମୟରେ ବାତ୍ୟା 'ମିଗଜୋମ' ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ବୁଧବାର ଦିନ ଗଜପତି ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ସମେତ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଏହା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓ୍ଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମଟିର ରହିବ ବୋଲି କୁହାଯାଇଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି ।
ଏବା ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସହ ପବନ ବୋହୁଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ଆନ୍ଧ୍ର ଉପକୂଳର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟରୁ ଧରଣର ବର୍ଷା ହେଉଛି । ବାତ୍ୟାକୁ ନେଇ ଆନ୍ଧ୍ରପ୍ରଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।












Click it and Unblock the Notifications