ପୋଲିସ୍ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଭର୍ତ୍ତୃହରି ମହତାବ ବିରୋଧରେ ମାମଲା ରୁଜୁ
କଟକ: ବଢିଲା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଡ଼ୁଆ । ତାଙ୍କ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ପୋଲିସ୍ ଏସ୍ଆଇଙ୍କୁ ମାଡ଼ ମାରିବା ଅଭିଯୋଗରେ କଟକ ସ୍ୱତନ୍ତ୍ର ଏମ୍ପି/ଏମ୍ଏଲଏ କୋର୍ଟରେ ଚାର୍ଜଫ୍ରେମ ହୋଇଥିବା ଜଣାଯାଇଛି । ଭର୍ତ୍ତୃହରିଙ୍କ ବିରୋଧରେ ଆଇପିସିର ଦଫା 341, 323, 294, 353 ଓ 506 ଲାଗୁ କରାଯାଇଛି ।

ସୂଚନା ଅନୁସାରେ, 2011 ଜାନୁୟାରୀ 23 ତାରିଖରେ ଜଣେ ପୋଲିସ ଏସ୍ଆଇଙ୍କୁ ମାଡ଼ ଅଭିଯୋଗ ନେଇ ଏମ୍ପି ଭର୍ତ୍ତୃହରି ମହତାବ ବିରୋଧରେ ରୁଜୁ ମାମଲାରେ କୋର୍ଟରେ ଚାର୍ଜଫ୍ରେମ ହୋଇଛି । ଅଭିଯୋଗକାରୀ ଏସ୍ଆଇ ଜଣକ ହେଲେ ଅମିତାଭ ମହାପାତ୍ର । ସେତେବେଳେ ସେ ମଙ୍ଗଳାବାଗ ଥାନାରେ ଏସ୍ଆଇ ଥିବା ବେଳେ ଏବେ କମିସନରେଟ ପୋଲିସରେ ଏସିପି ଭାବେ କାର୍ଯ୍ୟରତ ଅଛନ୍ତି ।
ଉଲ୍ଲେଖଥାଉକି, 2011 ଜାନୁୟାରୀ 23 ତାରିଖ ନେତାଜୀ ଜୟନ୍ତୀରେ ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମ୍ୟୁଜିୟମ୍ର ସୁରକ୍ଷା ଦାୟିତ୍ୱରେ ତତ୍କାଳୀନ ଏସ୍ଆଇ ମହାପାତ୍ର ରହିଥିଲେ । କଟକ ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମ୍ୟୁଜିୟମ ମଧ୍ୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।
ମହାପାତ୍ର ସେହି ନିର୍ଦ୍ଦେଶ ପାଳନ କରୁଥିଲେ । ମୁଖ୍ୟମନ୍ତ୍ରୀ ମ୍ୟୁଜିୟମ ଭିତରେ ପରିଦର୍ଶନ କରୁଥିବା ସମୟରେ ଭିତରକୁ କାହାରିକୁ ଯିବାକୁ ଏସ୍ଆଇ ମହାପାତ୍ର ଦେଉନଥିଲେ । ଏହି ସମୟରେ ଏମ୍ପି ମହତାବ ପଛରୁ ଆସିଲେ ଓ ତାଙ୍କୁ ଗାଳି କଲେ । ମହତାବଙ୍କୁ ଭିତରକୁ ଏସ୍ଆଇ ମହାପାତ୍ର ଛାଡ଼ି ଦେଇଥିଲେ । ଘଟଣାଟି ଉକ୍ତ ଦିନ ପ୍ରାୟ 12.30 ସମୟରେ ଘଟିଥିଲା । ମାତ୍ର କୌଣସି ଦୋଷ ନଥାଇ ଏମ୍ପି ମହତାବ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସେ ଦରଘାବଜାର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଥାନାରେ ଏକ କେସ୍ ରୁଜୁ ହେବା ସହ ତଦନ୍ତ କରାଯାଇଥିଲା ।












Click it and Unblock the Notifications