ସାବଧାନ ! ବ୍ରାହ୍ମଣୀ ପାଣିରେ ମାତିଛି ମଣିଷ ଖିଆ... ମଇଁଷି ଚରାଳୀଙ୍କୁ ଟାଣିନେଲା କୁମ୍ଭୀର
କେନ୍ଦ୍ରାପଡ଼ା: ପୁଣି ମାତିଛି ମଣିଷ ଖିଆ କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରେ ଚୁପ୍ ଚାପ ଲୁଚି ରହୁଛି । ସୁଯୋଗ ଦେଖି ଆକ୍ରମଣ କରୁଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପୁଣି ମଣିଷ ଖାଇଲା କୁମ୍ଭୀର ।
ଗତ 3 ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଇଛି କୁମ୍ଭୀର । ସୂଚନା ପାଇ ଭାସ୍କର ରାଉତଙ୍କୁ ଖୋଜାଖୋଜି ଚଳାଇଛନ୍ତି ଅଗ୍ନିଶମ ବାହିନୀ ଓ ଗ୍ରାମବାସୀ ।

ସୂଚନା ଅନୁସାରେ, ଆଜି ସକାଳେ ଭାସ୍କର ମଇଁଷି ଚରାଇବା ପାଇଁ ଯାଇ ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା । ପ୍ରତ୍ୟେକ୍ଷଦର୍ଶୀ ତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ । ହେଲେ ସେତେବେଳକୁ କୁମ୍ଭୀରଟି ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା । ଏନେଇ ତୁରନ୍ତ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।
ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ସୂଚନାଯୋଗ୍ୟ ଗତକାଲି ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ଏକ ବିରାଟକାୟ ବଉଳା କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ରାତିରେ କୁମ୍ଭୀରଟି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ପିଲାମାନେ ପାଟି ଶୁଣି କୁମ୍ଭୀରଟି ଏକ କେନାଲ ଭିତରକୁ ପଳାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ 3 ମାସ ମଧ୍ୟରେ ରାଜନଗରରେ ଏହା ହେଉଛି ପଞ୍ଚମ ଘଟଣା । ପୂର୍ବରୁ 2 ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇ ମାରିଦେଇଥିଲା । ଫଳରେ ନଦୀ କୁଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ ବିଭାଗର ସଚେତନତା ସତ୍ତ୍ୱେ କୁମ୍ଭୀର ଜଣଙ୍କ ପରେ ଜଣଙ୍କୁ ଟାଣି ନେଉଛି । ତୁରନ୍ତ ସରକାର ଏହା ଉପରେ ଏକ ମାଷ୍ଟର ପ୍ଲାନ କରିବା ସହ ନଦୀ କୁଳିଆ ବାସିନ୍ଦା ଙ୍କୁ ସୁରକ୍ଷା ଯୋଗେଇ ଦେବାକୁ ଦାବି ହୋଇଛି ।












Click it and Unblock the Notifications