ସହଜ ହେବ ସ୍ୱର୍ଗଦ୍ୱାରରେ ଶହଦାହ, ଆଗୁଆ ବୁକିଂ କରିପାରିବେ ସ୍ଥାନ
ପୁରୀ: ସ୍ଵର୍ଗଦ୍ଵାରରେ ଶବଦାହ ହେବ ସହଜ । ସମ୍ପର୍କୀୟଙ୍କ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି । ଆଗୁଆ ସ୍ଥାନ ବୁକିଂ କରିବେ ଲୋକେ । ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଲୋକାର୍ପଣ ହୋଇଛି ସ୍ଵର୍ଗଦ୍ଵାର ୱେବସାଇଟ ।

ଏହା ଦ୍ୱାରା ଅନଲାଇନ ମାଧ୍ୟମରେ ଏହି ୱେବସାଇଟରେ ପଞ୍ଜିକରଣ କରିପାରିବେ । ଏହା ବାଦ୍ ସ୍ଵର୍ଗଦ୍ଵାରରେ ଶବଦାହ ପାଇଁ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ବିଷୟରେ ମଧ୍ୟ ଏହି ୱେବସାଇଟ ମାଧ୍ୟମରେ ଜାଣିପାରିବେ ଲୋକେ । ଏ ନେଇ ଲୋକାର୍ପଣ ହୋଇଛି swargadwar.com ।
ଏହି ୱେବସାଇଟରେ ତିନୋଟି ଭାଷାରେ ସୂଚନା ମିଳିବ । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ । ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ହିତାଧିକାରୀ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ ।
ତେବେ ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହି ୱେବସାଇଟ ଲଞ୍ଚ କରାଯାଇଥିବା ବେଳେ ପରବର୍ତ୍ତି ସମୟରେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ଵର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋର ମାଧ୍ୟମରେ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ।
ପୁରୀ ସ୍ୱର୍ଗଦ୍ୱାରକୁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ଲୋକମାନଙ୍କୁ ସହଜରେ ସେବା ଯୋଗାଇଦେବା ଲକ୍ଷ୍ୟରେ ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ଅନ୍ୟପଟେ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ମଧ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଲୋକମାନେ ଅନ୍ତିମ ସଂସ୍କାର ପାଇଁ ଦେଢ଼ କୁଇଣ୍ଟାଲ କାଠ ପାଉଥିବା ବେଳେ ଏବେ ଏକ କୁଇଣ୍ଟାଲ 80 କେଜି କାଠ ପାଇବେ । ପୂର୍ବରୁ 200 ଗ୍ରାମର ଘିଅ ପାଉଥିବା ବେଳେ ବର୍ତ୍ତମାନ 300 ଗ୍ରାମ ଘିଅ ପାଇବେ । ସେହିପରି କାଠ ବୋହିବା ପାଇଁ 7 ଜଣ ପରିବହନ ସେବକଙ୍କୁ ମୁତୟନ କରାଯାଇଛି ।












Click it and Unblock the Notifications