ବଢୁଛି କରୋନା ସଂକ୍ରମଣ, ଚିହ୍ନଟ ହେଲେ ଆଉ 3 ଆକ୍ରାନ୍ତ
ଭୁବନେଶ୍ୱର: ପୁଣି କାୟା ମେଲାଉଛି କରୋନା । ରାଜ୍ୟ ତଥା ଦେଶରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ଆଉ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ ସକ୍ରିୟଙ୍କ ସଂଖ୍ୟା 8 ରେ ପହଞ୍ଚିଛି । ପୂର୍ବରୁ 5 ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଥିଲେ, ସମସ୍ତ ସଂକ୍ରମିତଙ୍କ ଲକ୍ଷଣ କମ ଅଛି । ସେମାନଙ୍କର କେବଳ ଥଣ୍ଡା କାଶ ରହିଛି । କେହି ହସ୍ପିଟାଲରେ ନାହାଁନ୍ତି, ଘରେ ଚିକିତ୍ସିତ ହେଉଛନ୍ତି । ପ୍ରଥମ ଦୁଇ ରୋଗୀ କଟକର । ଅନ୍ୟ ରୋଗୀଙ୍କର ପ୍ରୋଟୋକଲ ଅନୁସାରେ ତଦନ୍ତ କରାଯାଉଛି । ପ୍ରଥମ ଦୁଇ ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ନାହିଁ । ସର୍ଭେଲାନ୍ସ ଆହୁରି ବଢ଼ାଯିବ । ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ।
ଏହା ସହ ଦେଶରେ ମଧ୍ୟ ବଢ଼ିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ଆଉ 692 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ 2ଜଣ ଓ ଗୁଜରାଟରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ସଂକ୍ରମିତମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ଜେଏନ ଡଟ୍ ୱାନ ଭ୍ୟାରିଆଂଟର 109 ଟି ମାମଲା ଚିହ୍ନଟ ହୋଇଛି । ଯେଉଁମାନଙ୍କ ମଧ୍ୟରେ ଗୁଜରାଟରେ 36, କର୍ଣ୍ଣାଟକରେ 34, ଗୋଆରେ 14, କେରଳ ଓ ମହାରାଷ୍ଟ୍ରରେ 6 ଲେଖାଏଁ, ରାଜସ୍ଥାନ ଓ ତାମିଲନାଡୁରେ 4 ଜଣ ଲେଖାଏଁ ଏବଂ ତେଲେଙ୍ଗାନାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ଜଣେ ରାଜନେତା ତଥା ଅଭିନେତା କ୍ୟାପ୍ଟେନ ବିଜୟକାନ୍ତଙ୍କ ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି ।












Click it and Unblock the Notifications