ଉପରମୁହାଁ କରୋନା ଗ୍ରାଫ୍, ଘରେ ରହି ପାଳନ୍ତୁ ନୂଆ ବର୍ଷ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବଢିବାରେ ଲାଗିଛି କରୋନା ମାମଲା । ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 14କୁ ବୃଦ୍ଧି ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ 13 ଆକ୍ଟିବ୍ କେସ୍ ରହିଛି ।

ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏବେ କୌଣସି କଟକଣା ଲାଗୁ କରିବା ଆବଶ୍ୟକ ନାହିଁ। କିନ୍ତୁ ଲୋକେ ସଚେତନ ରୁହନ୍ତୁ। ଏହା ସହ ମାସ୍କ ପିନ୍ଧିବା ସହ ନୂଆବର୍ଷ ଘରେ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁମାନଙ୍କ ଥଣ୍ଡା, ଜ୍ୱର, କାଶ ରହୁଛି, ବାହାରକୁ ନ ଯାଇ ଘରେ ଜିରୋ ନାଇଟ ପାଳନ କରନ୍ତୁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଅନ୍ୟପଟେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ସେହିପରି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜରୁରୀ ଚିଠି କରଯାଇଛି । ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ ଏବଂ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି । କୋଭିଡ୍ ଲକ୍ଷଣଯୁକ୍ତ, ବରିଷ୍ଠ ନାଗରିକ ଓ ସଂକ୍ରମଣ ପ୍ରବଣଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।












Click it and Unblock the Notifications