ଘର ସଜାଡ଼ିବାକୁ କଂଗ୍ରେସର ଚିନ୍ତନ-ମନ୍ଥନ, କାର୍ଯ୍ୟକାରିଣୀ ବୈଠକ କରି ଆଲୋଚନା କରୁଛି ଦଳ
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସରେ ଲାଗି ରହିଥିବା ଅନ୍ତଃକନ୍ଦଳକୁ ଦୂରେଇବାକୁ ପ୍ରୟାସ କରୁଛି ଦଳ । ନିକଟରେ ଦଳ ବିରୋଧୀ କାର୍ଯ୍ୟ ନେଇ କଟକ ବିଧାୟକ ମହମ୍ମଦ ମୋକିମ ଏବଂ ଜଗତସିଂହପୁର ଜିଲ୍ଲାର ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ବହିଷ୍କାର କରିବା ପରେ ଆଜି ବସିଛି କାର୍ଯ୍ୟକାରିଣୀ ବୈଠକ । ପ୍ରଥମେ ରହିଛି ପଲିଟିକାଲ ଆଫେୟାର୍ସ ବୈଠକ । ଏହା ପରେ ହେବ କାର୍ଯ୍ୟକାରିଣୀ ବୈଠକ ।

ଏହି ବୈଠକ ନେଇ ପ୍ରଭାରୀ ଚେଲ୍ଲା କୁମାର, ପିସିସି ଶରତ ପଟ୍ଟନାୟକ, ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଅଛନ୍ତି । ଏଅହା ସହିତ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି । କିନ୍ତୁ କଂଗ୍ରେସ ଭବନରେ ବୈଠକ ନ ହେବାକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଛି ।
ନିକଟରେ ନିଲମ୍ବନ ବିଧାୟକ ଓ ନେତାଙ୍କ ସମର୍ଥକ କଂଗ୍ରେସ ଭବନ ଆଗରେ ହଙ୍ଗାମା କରିବାରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ହୋଟେଲରେ ଏହି ବୈଠକ ଆୟୋଜନ କରାଯାଇଛି ।
ଏହି ବୈଠକରେ ନିଲମ୍ବିତ ନେତାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ସୂଚନା ମିଳିଛି । ତେବେ ବୈଠକରେ କଣ ଆଲୋଚନା ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଗତକାଲି ବସିଥିବା ଶୃଂଖଳା କମିଟି ବୈଠକରେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା ।
ଏହା ବ୍ୟତୀତ ସଙ୍ଗଠନକୁ କିପରି ସୁଦୃଢ କରାଯିବ, ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳର ରଣନୀତି କଣ ରହିବ ସେ ନେଇ ମଧ୍ୟ ଆଲୋଚନା ହେଉଥିବା ଖବର ରହିଛି । ତେବେ ବୈଠକ ପରେ ନିଲମ୍ବନ ବିଦାୟକ ଓ ନେତାଙ୍କ ଉପରୁ ଏହି ଆଦେଶ ପ୍ରତ୍ୟାହାର ହେବ କି ନାହିଁ ତାହା ଉପରେ ରହିଛି ସମସ୍ତଙ୍କ ନଜର ।












Click it and Unblock the Notifications