ଅପରାଧ ରୋକିବାକୁ ନୂଆ ପନ୍ଥା, ପୋଲିସ୍ ପାଖରେ ରହିବ ଦୋକାନ ବଜାରର ସିସିଟିଭି ଲିଙ୍କ୍
ଭୁବନେଶ୍ୱର: ସହର ଜଗିବ ସିସିଟିଭି । ସାରା ସହର ରହିବ ସିସିଟିଭି ନଜରରେ । ଅପରାଧ ନିୟନ୍ତ୍ରଣ କରିବା ତଥା ଅରପରାଧୀଙ୍କୁ କାବୁ କରିବା ପାଇଁ ନୂଆ ପନ୍ଥା ଆପଣେଇଛି କମିଶନରେଟ୍ ପୋଲିସ୍ ।
ଭୁବନେଶ୍ୱରର ସବୁ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ କମିଶନରେଟ ପୋଲିସ କଣ୍ଟ୍ରୋଲ ରୁମକୁ ସେୟାର କରାଯିବ । ଅପରାଧକୁ ଚିହ୍ନଟ କରିବା ଓ ରୋକିବାରେ ଏହି ସିସିଟିଭି ଫୁଟେଜ ସହାୟକ ହେବ । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେବ "ସହଭାଗିତା" ।

ଚୋରି ବା ଅନ୍ୟ ଅପରାଧ ରୋକିବା ପାଇଁ ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖିବାକୁ ଦୋକାନୀମାନଙ୍କୁ ଅନୁରୋଧ କରାଯାଇଛି । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଥିବା ବେଳେ ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି ।
2022 ରେ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରରେ ଅନେକ ପ୍ରତିଷ୍ଠାନ ପୋଲିସ କଣ୍ଟ୍ରୋଲ ରୁମ ସହ ଯୋଡ଼ି ହୋଇଛନ୍ତି । ଏହି ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନ ସେମାନଙ୍କ ସିସିଟିଭି ଲିଙ୍କ୍ ଆଇପି ଆଡ୍ରେସ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ ସହଯୋଗ ଲୋଡିଛନ୍ତି ପୋଲିସ କମିଶନର । ଏଥିପାଇଁ ସବୁ ପ୍ରତିଷ୍ଠାନ ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଏଥିଲାଗି ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । 94392 24441 ନମ୍ବର ଜରିଆରେ ସମସ୍ତେ ଯୋଗାଯୋଗ କରି ଏ ବିଷୟରେ ସବିଶେଷ ସୂଚନା ପାଇପାରିବେ ।












Click it and Unblock the Notifications