କଲେଜ ପିଲା ଶୁଣିବେ ହକି ସଫଳତା ଗାଥା
ଭୁବନେଶ୍ୱର: ହକି ସଫଳତା ଗାଥା ଶୁଣିବେ କଲେଜ ପିଲା । ସ୍କୁଲ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ଶୁଣାଯିବ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା । ପିଲାଙ୍କୁ କଲେଜରେ ଏକାଠି କରି ପ୍ରତି ସୋମବାର ହକି ସଫଳତା ବିଷୟରେ ବାର୍ତ୍ତା ଦିଆଯିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ଏହି ସମୟରେ ଜାତୀୟ ହକି ଦଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବିଷୟରେ ଜାଣିବେ ଛାତ୍ରଛାତ୍ରୀ । ଓଡ଼ିଶା ଜାତୀୟ ହକି ଦଳର ପ୍ରାୟୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ନେଇ କଲେଜ ପିଲାଙ୍କୁ କୁହାଯିବ ।କଲେଜରେ ପଢ଼ାଯିବାକୁ ଥିବା ଦୁଇ ପୃଷ୍ଠା ସମ୍ବଳିତ ବାର୍ତ୍ତାକୁ ବି ଉଚ୍ଚ ଶିକ୍ଷା ବିଭାଗ ପ୍ରସ୍ତୁତ କରି କଲେଜ୍ ଅଧ୍ୟକ୍ଷମାନଙ୍କୁ ପଠାଇଥିବା ସୂଚନା ମିଳିଛି । ଏଥିସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଖାଲି ସେତିକି ନୁହେଁ ପିଲାଙ୍କୁ ଏହି ଅବସରରେ ଚକୋଲେଟ୍ କିମ୍ବା ମିଠା ବଣ୍ଟିବାକୁ ବି ଚିଠିରେ କୁହାଯାଇଛି । ଦୁଇ ଦିନ ତଳେ ସବୁ ସ୍କୁଲରେ ପ୍ରାର୍ଥନା ସଭାରେ ହକିର ଏସିଆଡ୍ ସଫଳତାକୁ ଶୁଣିଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ଭିତରେ ହକି ପାଇଁ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ।
ଆପଣଙ୍କୁ କହି ରଖୁଛୁ, 2018 ମସିହାରୁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିଛି । ସୁନ୍ଦରଗଡ଼ ଦେଶର ହକି ଏନ୍ତୁଡିଶାଳ । ଏଠାରେ ବିଶ୍ୱର ସର୍ବବୃହତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କରିଛନ୍ତି ଓଡ଼ିଶା ସରକାର । ଓଡ଼ିଶା ସୃଷ୍ଟି କରିଛି ଦିଲ୍ଲୀପ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ଦୀପଗ୍ରସ ଏକ୍କା କରି ପରି ଅନେକ ହକି କ୍ରୀଡ଼ାବିତ୍ । ଯେଉଁମାନେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଉନ୍ନତ ଭିତ୍ତିଭୂମି ଓ ତାଲିମ ପାଇଁ ଭାରତର ପ୍ରଦର୍ଶନ ଦିନକୁ ଦିନ ଆହୁରି ଉନ୍ନତ ହେଉଛି । ଏହି ସବୁ ସଫଳତା ଗାଥା ଶୁଣିବେ ଛାତ୍ରଛାତ୍ରୀ ।












Click it and Unblock the Notifications