ପ୍ରାଚୀନ କାଳରୁ ଓଡ଼ିଶାରେ ଶିକ୍ଷାଗତ ଯୋଗ୍ୟତାର ପରମ୍ପରା ରହିଛି : ମୁଖ୍ୟମନ୍ତ୍ରୀ
ପ୍ରାଚୀନ କାଳରୁ ଓଡ଼ିଶାର ଶିକ୍ଷାଗତ ପରମ୍ପରା ରହିଆସିଛି । ଐତିହାସିକ ଭାବରେ ଶିକ୍ଷା ଓ ଅନୁସନ୍ଧାନରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ସାକ୍ଷୀ ରହିବା ସହ ପୂର୍ବ ଭାରତରେ ଓଡ଼ିଶା ଅଗ୍ରଣୀ ଶିକ୍ଷା ହବ୍ ପାଲଟିଛି ।
ଭୁବନେଶ୍ୱର : ପ୍ରାଚୀନ କାଳରୁ ଓଡ଼ିଶାର ଶିକ୍ଷାଗତ ପରମ୍ପରା ରହିଆସିଛି । ଐତିହାସିକ ଭାବରେ ଶିକ୍ଷା ଓ ଅନୁସନ୍ଧାନରେ ଓଡ଼ିଶା ଆଗରେ ରହିଛି । ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ସାକ୍ଷୀ ରହିବା ସହ ପୂର୍ବ ଭାରତରେ ଓଡ଼ିଶା ଅଗ୍ରଣୀ ଅନୁସନ୍ଧାନ ଏବଂ ଶିକ୍ଷା ହବ୍ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶନିବାର ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍ ଶିଳାନ୍ୟାସ ଅବସରରେ ଭିଡ଼ିଓ କନପରେନ୍ସିଂ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଆଇଆଇଏମ୍ 2015 ମସିହାରେ ପ୍ରତିଷ୍ଠା ହୋଇଥିଲା । ମାତ୍ର ୫ ବର୍ଷ ମଧ୍ୟରେ ଏହା ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଏକ ସକାରାତ୍ମକ ଛାପ ଛାଡ଼ିପାରିଛି ।

ଏହି ଅବସରରେ ସେ କହିଛନ୍ତି, ମାନବ ସମ୍ବଳର ବିକାଶ ପାଇଁ ଓଡ଼ିଶା ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । "ସ୍କିଲ୍ ଇନ୍ ଓଡିଶା" ଏକ ଆନ୍ତର୍ଜାତୀୟ ବ୍ରାଣ୍ଡରେ ପରିଣତ ହୋଇସାରିଛି । ଆମର ଯୁବକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ବୈଷୟିକ ଜ୍ଞାନରେ ତାଲିମ ଦେବା ଏବଂ ଶିଳ୍ପ 4.0 ର ଚାହିଦା ଅନୁଯାୟୀ ସେମାନଙ୍କୁ ବଜାର ପ୍ରସ୍ତୁତ କରିବା ନେଇ ରାଜ୍ୟ ସରକାର ସର୍ବଦା ଧ୍ୟାନ ରଖିଛନ୍ତି । ଏଥିସହିତ ଆଇଆଇଏମ୍ ସମ୍ବଲପୁର ଓଡିଶାର ଅଗ୍ରଣୀ ଉଦ୍ୟୋଗୀ ହବ୍ ହେବା ସହିତ ସ୍ଥାନୀୟ ବୁଣାକାର ତଥା କୃଷି ଭିତ୍ତିକ ବ୍ୟବସାୟର ଉଦ୍ୟୋଗୀ ପ୍ରତିଭା ପ୍ରତି ଗୁରୁତ୍ୱ ଦେବା ପାଇଁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ସହିତ ଏକ ଏମଓୟୁ କରାଯାଇଥିବାରୁ ନବୀନ ଖୁସି ବ୍ୟକ୍ତ କରିଛନ୍ତି । ଓଡ଼ିଶାକୁ ଦେଶର ସବୁଠାରୁ ଅଧିକ ଶିକ୍ଷିତ ହବ୍ କରିବା ପାଇଁ ରାଜ୍ୟ ସରକାର ନୀତିଗତ ବ୍ୟବସ୍ଥା କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।
ଏହି ସଂସ୍ଥାନ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସହଯୋଗରେ ଅଧିକରୁ ଅଧିକ କେନ୍ଦ୍ରୀୟ ଅନୁଷ୍ଠାନ ଓଡ଼ିଶାକୁ ଆସିବା ସହ ରାଜ୍ୟର ଅଭିବୃଦ୍ଧି ପଥରୁ ତ୍ୱରାନ୍ୟିତ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି ।
ଏଥିସହିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ୍ ନିଶାଙ୍କ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ନୀତିଶ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications