ବଢିଲା ଆଶାକର୍ମୀଙ୍କ ଦରମା, ନିବୃତ୍ତି ପ୍ରୋତ୍ସାହନ ରାଶି 1 ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର: ଆଶାକର୍ମୀଙ୍କ ମାସିକ ଦରମାରେ ହେଲା ବୃଦ୍ଧି । ମାସିକ ପାରିଶ୍ରମିକ 4 ହଜାର 500 ରୁ 7 ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଆଶା କର୍ମୀଙ୍କର ସେବା ନିବୃତ୍ତି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି କରିଛନ୍ତି । ସେବା ନିବୃତ୍ତି ରାଶି 1 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ସେବା ନିବୃତ୍ତି ସମୟରେ ସେମାନେ 50 ହଜାର ଟଙ୍କା ପାଉଥିବା ବେଳେ ବର୍ତ୍ତମାନ 1 ଲକ୍ଷ ଟଙ୍କା ପାଇବେ ।
ସେମାନଙ୍କ ପାରିଶ୍ରମିକ ବାବଦରେ ପୂର୍ବରୁ ରାଜ୍ୟ ସରକାର ବାର୍ଷିକ 59 କୋଟି 43 ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ବାର୍ଷିକ 208 କୋଟି ଟଙ୍କା ଖର୍ଚ୍ଚ କରିବେ । ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ 55 ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ ବହନ କରିବେ । ଏହାଦ୍ବାରା ରାଜ୍ୟର 49 ହଜାର 522 ଆଶା କର୍ମୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ 148 କୋଟି 57 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଆଶା କର୍ମୀ ତଥା ସେମାନଙ୍କ ସଙ୍ଗଠନ ଗୁଡିକ ତାଙ୍କୁ ଭେଟି ଏହି ପାରିଶ୍ରମିକ ବୃଦ୍ଧି ସମ୍ପର୍କରେ ଅନୁରୋଧ ଓ ପ୍ରସ୍ତାବ ଦେଇଥିଲେ । ଆଶା କର୍ମୀମାନେ ରାଜ୍ୟରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ସହାୟତା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସେମାନେ ସଫଳ ଭାବେ ସଚେତନ କରିପାରୁଛନ୍ତି ।












Click it and Unblock the Notifications