ଭୟ କରୁଛନ୍ତି ପିଲା, ଭଙ୍ଗା ଯାଇପାରେ ମୃତଦେହ ରଖାଯାଇଥିବା ସ୍କୁଲ ଘର !

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ରଖା ଯାଇଥିବା ସ୍କୁଲକୁ ଯିବାକୁ ଡରୁଛନ୍ତି ଛାତ୍ରଛାତ୍ରୀ । ପିଲାମାନେ ସ୍କୁଲ ଯିବାକୁ ଭୟ କରୁଥିବାରୁ ଏହି ସବୁ କୋଠରୀ ଭଙ୍ଗା ଯାଇପାରେ । ହାଇସ୍କୁଲ୍ ପରିଦର୍ଶନ ପରେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, ବିଦ୍ୟାଳୟ ପରିଚାଳନା କମିଟି ଚାହିଁଲେ ମୃତଦେହ ରଖାଯାଇଥିବା ଘରକୁ ଭଙ୍ଗାଯିବ ।
ସ୍କୁଲ୍ ପରିଚାଳନା କମିଟିର ନିଷ୍ପତ୍ତି ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ । ମୃତଦେହ ରଖାଯାଇଥିବା କୋଠରୀରେ କିଛି ସ୍ଥାନରେ ରକ୍ତଛିଟା ପଡ଼ିଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟ ରହିଛି ।
ଉଲ୍ଲେଖଥାଉକି, ଖରା ଛୁଟି ସରିବାକୁ ଆଉ ମାତ୍ର ଏକ ସପ୍ତାହ ବାକି ଅଛି । ଭୁବନେଶ୍ୱରକୁ ମୃତଦେହ ସବୁ ସ୍ଥାନାନ୍ତର ହେବା ପରେ ବାହାନଗା ହାଇସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି । ବାରଣ୍ଡାରେ ପଡ଼ିଥିବା ଚେୟାର ଟେବୁଲ ସବୁକୁ ପୁଣି ଭିତରକୁ ନିଆଯିବ । କିନ୍ତୁ ଏହି ଭୟାଭୟ ଦୁର୍ଘଠଣାରେ ଶହ ଶହ ମୃତଦେହ ଦେଖି ପିଲା ଓ ଅଭିଭାବକଙ୍କ ମନରେ ଭୟ ଲାଗି ରହିଛି । ତେଣୁ ଏହାକୁ ନେଇ ଜିଲ୍ଲା ଶିକ୍ଷାଧିକାରୀ, ସ୍କୁଲର ମ୍ୟାନେଜିଂ କମିଟି ଓ ଆଲମୁନି ସଦସ୍ୟଙ୍କୁ ନେଇ ବୈଠକ କରିଥିଲେ ।
ଜୁନ୍ 2 ତାରିଖରେ କରମଣ୍ଡଳ ଏକ୍ସପ୍ରେସ୍, ଯଶୱନ୍ତପୁର-ହାୱଡ଼ା ସୁପରଫାଷ୍ଟ ଓ ମାଲବାହୀ ଟ୍ରେନ୍ ଦୁର୍ଘଟଣାରେ 288 ଜଣଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଖଣ୍ଡ ବିଖଣ୍ଡିତ ମୃତଦେହକୁ ବାହାନଗା ସ୍କୁଲ୍ ପରିସରରେ ରଖା ଯାଇଥିଲା । ଦୁଇ ଦିନ ପରେ ପ୍ରଶାସନ ମୃତଦେହକୁ ସ୍କୁଲରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।












Click it and Unblock the Notifications