ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ୟାନ୍ସର ହସ୍ପିଟାଲର କରିବେ ଉଦଘାଟନ
ଭୁବନେଶ୍ୱର: ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଟୁକୁର୍ଲା ଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର ଉଦଘାଟନ କରିବେ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ । ଏହାବାଦ୍ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ପରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ 11.50 ମିନିଟରେ ସେ ବିଜେପୁର ବ୍ଲକ କନାପାଳି ଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ଗସ୍ତ ଅବସରରେ ବରଗଡ ଜିଲ୍ଲାର ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ ସହ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲର ଲୋକାର୍ପଣ କରିବେ ।
ଏହି ଜଳ ସେଚନ ପ୍ରକଳ୍ପ ଦ୍ୱାରା ଜିଲ୍ଳାର ବିଜେପୁର ଓ ସୋହେଲା ବ୍ଳକର 100 ଟି ଗାଁକୁ ଜଳସେଚନ ହୋଇପାରିବ । ବରପାଲିର 22ଟି ଓ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲିର 7ଟି ଗାଁର ଚାଷୀ ମଧ୍ୟ ଉପକୃତ ହେବେ । ଏହାର ଟ୍ରାଏଲ ରନ ସରିଥିବା ବେଳେ ବହୁ ଜମିକୁ ପାଣି ମଧ୍ୟ ମାଡ଼ିଛି ।
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହ ନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଉଦଘାଟନ କରିବେ । ଏହାଛଡା ମୁଖ୍ୟମନ୍ତ୍ରୀ 342 କୋଟି 69 ଲକ୍ଷ 63 ହଜାର ଟଙ୍କା ବ୍ୟୟରେ ନିର୍ମିତ 59ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି 263 କୋଟି 33 ଲକ୍ଷ 18 ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ନବୀନ ପଟ୍ଟନାୟକ ।












Click it and Unblock the Notifications