ପଚାଶ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ, ଡିସେମ୍ବର 14 ରେ ପଟ୍ଟା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ପଚାଶ ବର୍ଷର ଜମିଜମା ସମସ୍ୟାର ହେବ ସମାଧାନ । ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କୁ ମିଳିବ ଜମିପଟ୍ଟା । ଲଖନପୁର ତହସିଲର 18ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ ସହ 19ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି । ସେହିପରି ସୋରଡାର 22 ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇଛି । ଏହା ସହ ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ୍ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନର ଜମିଜମା ସମସ୍ୟାର ସମାଧନ ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରି ଏହାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ପୂର୍ବରୁ ଜିଲ୍ଲାଗସ୍ତ ସମୟରେ ବିସ୍ଥାପିତ ମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ଏବଂ ଏ ସଂପର୍କରେ ବିଭିନ୍ନ ବୈଠକରେ ସମାଧାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।
ଝାରସୁଗୁଡା ହୀରାକୁଦ ବନ୍ଧ ବିସ୍ଥାପିତ ମାନଙ୍କ 50 ବର୍ଷରୁ ଅଧିକ ସମୟର ସମସ୍ୟାର ତୁରନ୍ତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଲଖନପୁର ତହସିଲର 18 ଟି ଗାଁ ଓ ଝାରସୁଗୁଡା ତହସିଲର ଗୋଟିଏ ଗାଁ - ଏହିପରି 19 ଟି ଗାଁର ଜମିଜମା ସମସ୍ୟାର ସମାଧାନ କରାଯାଇଛି ବୋଲି ଆଜିର ବୈଠକରୁ ଜଣାଯାଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 7ଟି ଗାଁର ବିସ୍ଥାପିତ ମାନଙ୍କୁ ପଟ୍ଟା ବଣ୍ଟନ କରିବେ । ଏହି ଗାଁ ଗୁଡିକ ହେଲା - ଲେମେଇତିକ୍ରା, ପାତ୍ରପଲ୍ଲୀ, ଛାଡରମା, ଦୁଆଁମୁଣ୍ଡା, ଲାଛିପାଲ୍ଲୀ, ସାହସବାଗ ଓ ବିନକା । ଏହି 7ଟି ଗ୍ରାମରେ ପ୍ରାୟ 900 ପରିବାର ପଟ୍ଟା ପାଇବେ ।
ସେହିପରି ସୋରଡାର 22 ଟି ଗାଁରେ ବହୁ ପୁରାତନ ଜମି ସମସ୍ୟାର ସମାଧାନ କରାଯାଇ, ଉଭୟ ଘରବାଡି ଓ ଚାଷଜମି ପଟ୍ଟା ମଧ୍ୟ ମୁଖ୍ୟମନ୍ତ୍ରୀ ଡିସେମ୍ବର 14 ତାରିଖ ଦିନ ବଣ୍ଟନ କରିବେ । ଜଟଣୀ ଖାସମାହାଲ ଜମି ସମସ୍ୟାର ମଧ୍ୟ ସମାଧାନ କରାଯାଇଛି । ଜାନୁଆରୀ ମାସରେ ଏହାର ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କରାଯିବ ।
ପୁରୀ ଜିଲ୍ଲାରେ ଖାସମାହାଲ ଜମି ସମସ୍ୟାର ସମାଧାନ ରାଜସ୍ବ ବିଭାଗ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୁରୀ ପୌରପାଳିକା ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଲିଜ୍ ସୂତ୍ରରେ ପ୍ରାୟ 504 ଏକର ଜମି ଦେଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ଉପଯୁକ୍ତ ଲିଜ୍ ସର୍ତ୍ତାବଳୀ ଓ ପୌରପାଳିକା ନିୟମ ଅନୁସାରେ ହୋଇଥିବା ଲିଜ୍କୁ ନିୟମିତ କରାଯିବ। ଏଥିପାଇଁ ସରକାର ଉପଯୁକ୍ତ ପରିମାଣର ଦେୟ ଧାର୍ଯ୍ୟ କରି ଲିଜ୍ଧାରୀଙ୍କ ଠାରୁ ଆଦାୟ କରିବେ । ଏହି ସମସ୍ତ କାର୍ଯ୍ୟ ପାଇଁ OGLS ନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯିବ ।
ସେହିପରି ସମ୍ବଲପୁର ଜିଲ୍ଲାର ରେଙ୍ଗାଲୀ ତହସିଲ ଅନ୍ତର୍ଗତ କୁର୍ଲା, ଥୁଣ୍ଟିକତରବଗା, ଯୋଗୀପାଲ୍ଲୀ ଓ ସପନେ ଆଦି ଗ୍ରାମରେ ହାଇଟେକ୍ ସର୍ଭେ ମାଧ୍ୟମରେ ପୁରୁଣା ଜମିଜମା ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସର୍ଭେକୁ ତ୍ବରାନ୍ବିତ କରିବା ପାଇଁ ଏହାର ଆଇନଗତ ସମୟସୀମାକୁ କମ୍ କରାଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟ ପାଇଁ ଅଧିକ ରାଜସ୍ବ କ୍ଷେତ୍ରାଧିକାରୀ ମାନଙ୍କୁ ନିୟୋଜିତ କରାଯାଇ 2024 ମାର୍ଚ୍ଚ ସୁଦ୍ଧା ସର୍ଭେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଆଇନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ତଥା ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।












Click it and Unblock the Notifications