ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ, 9 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହି ସମୟରେ ସରକାର 9 ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 3 ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ 6 ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଓଏଏସ୍ ଅଧିକାରୀ, କୃଷି ବିଭାଗ ଅଧିକାରୀ, ସାମାଜିକ ଶିକ୍ଷା ଅଧିକାରୀ, ଅଡିଟର, ଜୁନିଅର ଇଞ୍ଜିନିୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 197 ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ତଥା ପେନ୍ସନ ବନ୍ଦ କରାଯାଇଛି ।
କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା 9 ଜଣଙ୍କ ମଧ୍ୟରୁ କଟକ ଜିଲ୍ଲା ଆର ଡବ୍ଲୁ ଏସଏସର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ୱାଳ ଏକ ଦୁର୍ନୀତି ମାମଲାରେ ଦେଷୀସାବ୍ୟସ୍ତ ହୋଇଛନ୍ତି। ତାଙ୍କର ପେନ୍ସନକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।
ସେହିପରି କଳାହାଣ୍ଡି ଜିଲ୍ଲା କାର୍ଲାମୁଣ୍ଡା ବ୍ଳକ୍ର ପୂର୍ବତନ ବିଡିଓ (ଅବସରପ୍ରାସ୍ତ ଓଏଏସ ଅଧିକାରୀ) ଗଣ୍ଡାରାମ ଖମାରୀ ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ତେଣେ ନବରଙ୍ଗପୁର ଜିଲ୍ଲା ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁର୍ନୀତି, ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
ଜି. ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।
ବରଗଡ ଜିଲ୍ଲା ସୋହେଲା ଆର ଡବ୍ଲୁ ଏସଏସର ପୂର୍ବତନ ଜୁନିଅର ଇଂଜିନିୟର ଉପେନ୍ଦ୍ରଭଂଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ୱେ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବାରେ ଏବଂ କର୍ତ୍ତବ୍ୟ ପରାୟଣତାରେ ବିଫଳ ହୋଇଥିଲେ । ଏହାସହିତ ତାଙ୍କର ବ୍ୟବହାରରେ ଶିଷ୍ଟାଚାର ମଧ୍ୟ ନଥିଲା। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବହିଷ୍କୃତ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁର୍ନୀତି ଓ ଅପାରଗତା କାରଣରୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ।
ମୟୁରଭଞ୍ଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଯୋଗୁ ତାଙ୍କ ପେନ୍ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଠିକ୍ ସେହିପରି ନୟାଗଡ ଜିଲ୍ଲା ଚାନ୍ଦପୁରର ପୂର୍ବତନ ଡିଏମଏସଏନ୍ ସୁପରିନ୍ଟେଣ୍ଡେଟ ଡକ୍ଯର ସୁରେନ୍ଦ୍ର ନାଥ ପତି ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ପାଉଥିବା ପେନ୍ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।












Click it and Unblock the Notifications