ବିଶିଷ୍ଟ ଲେଖି ତଥା ବଡ଼ ଭଉଣୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ
ଭୁବନେଶ୍ୱର: ବିଶିଷ୍ଟ ଲେଖିକା ତଥା ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି ନବୀନ । ଏହାସହ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ସକାଳୁ ଗୀତାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ । ସେଠାରୁ ଗୀତାଙ୍କ ବାସଭବନରେ ପହଞ୍ଚି ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି । ଆସନ୍ତାକାଲି ଗୀତାଙ୍କ ଅନ୍ତିମ ସଂସ୍କାର କରାଯିବାର ସୂଚନା ରହିଛି ।

ଗତକାଲି ଦିଲ୍ଲୀ ସ୍ଥିତ ବାସଭବନରେ ଗୀତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା ।
ସୂଚନାଯୋଗ୍ୟ, ଗୀତା ଏକାଧାରରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଥିଲେ । 1943 ରେ ଜନ୍ମିତ ଗୀତା ଭାରତ ଓ ବ୍ରିଟେନରେ ଶିକ୍ଷା ଲାଭ କରିଥିଲେ । ସେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ତାଙ୍କର କେତେକ ପ୍ରଖ୍ୟାତ ପୁସ୍ତକ ହେଉଛି- କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଏଟରନାଲ ଗଣେଶ ଇତ୍ୟାଦି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗତ 2019 ମସିହାରେ କେନ୍ଦ୍ର ସରକାର ତାଙ୍କ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରି ଗୀତା ଚର୍ଚ୍ଚାକୁ ଆସିଥିଲେ ।
ଗୀତାଙ୍କର ସ୍ବାମୀ ସୋନୀ ମେହେଟ୍ଟାଙ୍କର ଗତ 2019 ରେ ପରଲୋକ ହୋଇଥିଲା । 40 ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ ।
ଗୀତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି କହିଛନ୍ତି ଯେ ଗୀତା ମେହେଟାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ । ପାରିବାରିକ ବନ୍ଧୁ ହୋଇଥିବାରୁ ତାଙ୍କ ସହ ବିତାଇଥିବା ସମୟ, ତାଙ୍କର ସ୍ନେହ, ଆତିଥ୍ୟତାକୁ ମନେପକାଇଛନ୍ତି ।












Click it and Unblock the Notifications