ଭିତ୍ତିଭୂମିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନୂଆ ବର୍ଷରେ ଭିତ୍ତିଭୂମିରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଆଉ ପାଦେ ଆଗେଇଲା ମେଟ୍ରୋ ଟ୍ରେନ ସ୍ୱପ୍ନ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ବାରଙ୍ଗ ରତାଗଡ଼ଠାରେ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ମେଟ୍ରୋ ପାଇଁ ମୁଁ କଥା ଦେଇଥିଲି, ଆଜି ପାଳନ କଲି ।

ତ୍ରିଶୁଳିଆ ନିକଟ ରତଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ମନ୍ତ୍ରୀ ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ବିମାନବନ୍ଦର ଛକରୁ ସଚିବାଳୟ ମାର୍ଗ ଓ ନନ୍ଦନକାନନ ରାସ୍ତା ଦେଇ ତ୍ରିଶୁଳିଆ ପହଞ୍ଚିଥିଲେ । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଯାଇଥିଲେ । ତ୍ରିଶୁଳିଆ ଯିବା ବାଟରେ କ୍ୟାପିଟାଲ ହସ୍ପିଟାଲ ଛକ, ଜୟଦେବ ବିହାର ଛକ, ଜାଭିଅର ଛକ, ରେଳ ସଦନ, ପଟିଆ, କିଟ ଛକ, ରଘୁନାଥପୁର ପ୍ରମୁଖ ସ୍ଥାନରେ ଲୋକଙ୍କୁ ଭେଟିଛନ୍ତି ।
ସୂଚନାଯୋଗ୍ୟ, ଭୁବନେଶ୍ବରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମୋଟ 6255 କୋଟି ଟଙ୍କା ବ୍ୟୟ ହେବ । ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପକଳ୍ପର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟଠାରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ 26 କିଲୋମିଟର ପର୍ଯ୍ୟନ୍ତ ଏହି ମେଟ୍ରୋ ରେଳ ଚାଲିବ । ଏହା ମଧ୍ୟରେ ମୋଟ 20ଟି ଷ୍ଟେସନ ରହିବ । ରାଜମହଲ, ଜୟଦେବ ବିହାର, କ୍ୟାପିଟାଲ ହସପିଟାଲ, ପଟିଆ ପ୍ରଭୃତି ପ୍ରମୁଖ ସ୍ଥାନ ସହ ଅନ୍ୟ ଜାଗାରେ ଷ୍ଟେସନ ବ୍ୟବସ୍ଥା ହେବ। ଚଳିତ ବର୍ଷ ଏପ୍ରିଲ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଘୋଷଣା କରିଥିଲେ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ଏହାର ଡିପିଆର ପ୍ରସ୍ତୁତ କରିଛି । ମୋ ସରକାରଙ୍କ 5-ଟି ଅଧୀନରେ ଏହା ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ, ଯାହା ଏକ ନୂତନ ଓଡ଼ିଶାର ଆବିର୍ଭାବର ପ୍ରତୀକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।












Click it and Unblock the Notifications