ହୋମ ଯଜ୍ଞ ମଧ୍ୟରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିଥିବା ହୋମଯଜ୍ଞରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏକାମ୍ର ପ୍ରକଳ୍ପ ଭୂମିପୂଜନ ପାଇଁ ତିନି ଦିନ ଧରି ଲାଗି ରହିଛି ହୋମ ଯଜ୍ଞ । ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଛି ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ର ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନ ଅନୁସାରେ ଆରମ୍ଭ ହେବ କାମ । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠକୁ ଭବ୍ୟ ଓ ସୁନ୍ଦର କରାଯିବା ଲାଗି ଯୋଜନା ହୋଇଛି ।
ଉଲ୍ଲେଖଯୋଗ୍ୟ, ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା । ଭୋର୍ 4 ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା । ପରେ ପରେ ଗୁରୁ ପୂଜନ, ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଧରିତ୍ରୀ ପୂଜା, ବାହ୍ୟଦ୍ୱାର ପୂଜା, ଦୀକ୍ଷା ଗ୍ରହଣ, ଶିଳା ପ୍ରବେଶ ଓ ମଣ୍ଡଳ ପୂଜା ସରିବା ପରେ ପ୍ରାୟ 2 ଟା ବେଳକୁ ଅଗ୍ନି ସ୍ଥାପନ (ହବନ) ଓ ଯଜ୍ଞ କର୍ମ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ବେଦବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀଙ୍କ ସହ 25ଜଣ ବ୍ରାହ୍ମଣ ଓ ବେଦପାଠୀମାନେ ଯଜ୍ଞ କରିଥିଲେ ।
ଆଜି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେଉଛି । ଏଥିପାଇଁ ସକାଳ 6 ଟା 30ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ 9 ଟା 30 ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବା ପରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି ।












Click it and Unblock the Notifications