ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଓଡିଶାର ବିକାଶରେ ପଶ୍ଚିମ ଓଡିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୃଷି, ଶିଳ୍ପ, ଖଣି, ଶିକ୍ଷା ଏବଂ କଳା ଓ ସଂସ୍କୃତିରେ ସମୃଦ୍ଧ ହେଉଛି ପଶ୍ଚିମ ଓଡିଶା । ପର୍ଯ୍ୟଟନର ବିକାଶ ପାଇଁ ମା ସମଲେଶ୍ୱରୀ, ହରିଶଙ୍କର ଓ ନୃସିଂହନାଥ ମନ୍ଦିରର ରୂପାନ୍ତର କାମ ଚାଲିଛି । ଏହା ସହିତ ଆହୁରି ଅନେକ ମନ୍ଦିର ଓ ଭିତ୍ତିଭୂମି କାମ ପାଇଁ ମଧ୍ୟ ପଦକ୍ଷେପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜରିଆରେ ସବୁ କାମ ତଦାରଖ କରୁଛି । ପଶ୍ଚିମ ଓଡିଶା ଖୁବ ଶୀଘ୍ର ବିକାଶର ସବୁ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପଶ୍ଚିମ ଓଡିଶାର ପ୍ରାୟ 2000 ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ନିର୍ମାଣ ହାତକୁ ନିଆଯିବ । ଏଥିପାଇଁ 25 କୋଟି ଟଙ୍କା ବିନିଯୋଗ କରାଯିବ ।
ଏହାଦ୍ୱାରା ପଶ୍ଚିମ ଓଡିଶାର ଜନସାଧାରଣଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନ ଆହୁରି ସକ୍ରିୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 5T ଉପକ୍ରମରେ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ପ୍ରକାଶ କରି ଏହିସବୁ ଭିତ୍ତିଭୂମି କାମ ଠିକ୍ ସମୟରେ ଶେଷ ହେବ ଓ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ ରହିବ ବୋଲି ସେ ଆଶାପ୍ରକାଶ କରିଥିଲେ ।
ଏହାସହିତ ମୁଖ୍ୟମନ୍ତ୍ରୀ 33.58 କୋଟି ଟଙ୍କା ବିନିଯୋଗରେ ଅନେକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଶ୍ଚିମ ଓଡିଶାର ବିକାଶ ପାଇଁ ସେ ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇଆସିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ଦୁଇ ଗୁଣ ହେବା ସହିତ ଏହାର କାର୍ଯ୍ୟକ୍ରମ ମଧ୍ୟ ବୃଦ୍ଧି ପାଇଛି । ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ବିକାଶ ପରିଷଦକୁ ପରାମର୍ଶ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । ପଶ୍ଚିମ ଓଡିଶାର ବିକାଶ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।
ଉଦ୍ଘାଟିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଗଡିଆଜୋର ସେତୁ, ଟିଟିଲାଗଡ ଟାଉନହଲ୍, ବରଗଡ ଇକୋ ଟୁରିଜିମ୍, ଭିତ୍ତିଭୂମି, ଦେବଗଡ କଲେଜର ନୂଆ ଅଡିଟୋରିଅମ, କଳାହାଣ୍ଡି ବ୍ରଜମୋହନ ହାଇସ୍କୁଲର ନୂଆ ହଷ୍ଟେଲ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୂଆ ଅଡିଟୋରିଅମ ଓ କୁଚିଣ୍ଡା କଲେଜର ଅଡିଟୋରିଅମ ରହିଛି । ଭିତ୍ତିଭୂମି ରଖାଯାଇଥିବା ପ୍ରକଳ୍ପ ମଧ୍ୟରେ ବରଗଡ ଜନ୍ଦୋଲ ଗାଁର କମ୍ୟୁନିଟି ହଲ୍, ବରୋମୁଣ୍ଡା କଳାଗ୍ରାମ, କଟାବାହାଲ ପର୍ଯ୍ୟଟନ କେନ୍ଦ୍ର ଏବଂ କଳାହାଣ୍ଡିର ବିଭିନ୍ନ ଜଳାଶୟର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର କେସିଆବାହାଲ ଠାରେ ନୂତନ ବହୁମୁଖୀ ହଲ୍ର ନିର୍ମାଣ କାମ ରହିଛି ।












Click it and Unblock the Notifications